ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ପୁରୀ /ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ (ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ପ୍ରଭୃତି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏସବୁ ପ୍ରଦାନ କରି ଏହା ମୋ ନିଜର ମା’ଙ୍କୁ ଦେବା ପରି ଅନୁଭବ କରୁଛି’।

ଓଡିଶା ବାହାରେ ଥିବା ସମୟରେ କିଛି ହବିଷ୍ୟାଳୀ ମା’ ମାନଙ୍କ ଅସୁବିଧା ସମ୍ପର୍କରେ ସୂଚନା ପାଇବା ପରେ ସେ ତୁରନ୍ତ ଏହାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି। ତେଣୁ ଏହିସବୁକୁ ଦୃଷ୍ଟିରେ ରଖି ଅନେକ ସଂସ୍କାର ଆଣିବାକୁ ପଡିବ। ସବୁଠାରୁ ବଡ ସୁଧାର ହେଉଛି କିପରି ଭାବେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିହେବ। ଏହି ସଂସ୍କାର ପାଇଁ ଆମ ସେବାୟତମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ।

ପୁରା ବର୍ଷରେ ବୋଧହୁଏ କାର୍ତ୍ତିକ ମାସରେ ସବୁଠାରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ପବିତ୍ର କାର୍ତ୍ତିକ ମାସରେ ପବିତ୍ର ଜଗନ୍ନାଥ ଧାମରେ ଆଜି ଆସିବାର ସୁଯୋଗ ମିଳିଥିବାରୁ ମୁଁ ପ୍ରଭୁଙ୍କ ପାଖରେ କୃତକୃତ୍ୟ। କାର୍ତ୍ତକ ମାସରେ ବିଷ୍ଣୁଙ୍କର ପ୍ରଧାନ ଆରାଧନା ହେଉଛି ରାଇ ଦାମୋଦର ବ୍ରତ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ଭାବେ ବୃନ୍ଦାବତୀ ନିବାସ ନାମରେ ଏକ ହବିଷ୍ୟାଳୀ ଭବନ କରାଯାଇଛି। ଚଳିତ ବର୍ଷ ବୃନ୍ଦାବତୀ ଭବନ ସହିତ ଅନ୍ୟ ତିନୋଟି କେନ୍ଦ୍ର ଯଥା – ଅକ୍ଷୟ ପାତ୍ର ପାଉଣ୍ଡେସନ, ବଗଲା ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ ମାନଙ୍କୁ ରଖାଯାଇଛି।

କାର୍ଯ୍ୟକ୍ରମରେ ଯୋଗଦେଇ ପୁରୀ ସାଂସଦ ଡ. ସମ୍ବିତ ପାତ୍ର କହିଲେ ଯେ, ନାରୀର ଜୀବନ ସାଧାରଣ ନୁହେଁ। ନାରୀମାନେ ତାଙ୍କ ଜୀବନ କାଳ ମଧ୍ୟରେ ପରିବାର ପାଇଁ, ସମାଜ ପାଇଁ ଅନେକ ତ୍ୟାଗ କରିଥାନ୍ତି। ମହାପ୍ରଭୁଙ୍କ ନିକଟରେ ଆପଣମାନେ ରାଜ୍ୟବାସୀଙ୍କ କଲ୍ୟାଣ କାମନା କରନ୍ତୁ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଶ୍ରୀ ସୁନିଲ ମହାନ୍ତି ଯୋଗଦେଇଥିଲେ । ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡି.ଆଇ.ଜି. ଶ୍ରୀ ଚରଣ ସିଂ ମୀନା, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ଏସ ପି ବିନୀତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!