ଗ୍ଯାରେଜରେ ଖଟୁଥିଲେ ନାବାଳକ କଲେଜ ଛାତ୍ର, ବିଦ୍ୟୁତ୍ ଆଘାତରେ ଘଟିଲା ମୃତ୍ଯୁ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବୁଦ୍ଧଖୋଲ ଛକସ୍ଥିତ ଏକ ବାଇକ୍ ଗ୍ଯାରେଜରେ କାମ କରୁଥିବା ଜନୈକ ନାବାଳକ କଲେଜ ଛାତ୍ର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ ନାବାଳକ ଜଣକ ହେଲେ ଅନ୍ତରପଡା ଗ୍ରାମର କଂଗ୍ରେସ ସାହୁଙ୍କ ଏକମାତ୍ର ପୁଅ ଆଲୋକ ସାହୁ(୧୭)। ପ୍ରକାଶ ଯେ, ଆଲୋକ ବୁଗୁଡା ପିପୁଲ୍ସ କଲେଜରେ +୨ କଳା ପ୍ରଥମ ବର୍ଷରେ ପଢୁଥିବା ସହ ବୁଦ୍ଧଖୋଲ ଛକସ୍ଥ ମା ତାରିଣୀ ବାଇକ୍ ଗ୍ଯାରେଜରେ କାମ କରୁଥିଲେ ।

ସେ ଦୀପାବଳି ଦିନ ଅପରାହ୍ନରେ ପୂଜା ପାଇଁ ପାଣି ପକାଇ ଗ୍ଯାରେଜ ସଫେଇ କରୁଥିବା ବେଳେ ଅସାବଧାନତା ବଶତଃ ବିଦ୍ୟୁତ୍ ସଂଷ୍ପର୍ଶରେ ଆସି ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଖବର ପାଇ ସମ୍ପୃକ୍ତ ଗ୍ଯାରେଜର ମାଲିକ ଗୋପାଳକୃଷ୍ଣ ପ୍ରଧାନ ଏବଂ ଆଲୋକର ପରିବାର ଲୋକେ ମେଡିକାଲରେ ପହଞ୍ଚି ଥିଲେ । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ଯ ପୋଲିସର ସହଯୋଗ ମିଳିନଥିଲା ଏବଂ ଆଲୋକର ମଢ ଗୁରୁବାର ଅପରାହ୍ନରୁ ଶୁକ୍ରବାର ଦିନ ବହୁ ସମୟ ପର୍ଯ୍ୟନ୍ତ ମେଡିକାଲରେ ପଡିରହିଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା । ଏହା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ କେସ୍ ନଂ ୨୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି ।

ତେବେ ଆଲୋକର ପର୍ବ ଦୀପାବଳିରେ ଛାତ୍ର ଆଲୋକର ଜୀବନ ଦୀପ ଲିଭିଯିବା ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଥି ସହ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ କିପରି ଏକ ଗ୍ଯାରେଜ କାମରେ ଜଣେ ନାବାଳକ ନିୟୋଜିତ ଥିଲେ ସେ ନେଇ ମଧ୍ୟ ସାଧାରଣରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!