ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ବୁଲାଣି ରାସ୍ତାରେ ରବିବାର ସକାଳୁ ଏକ ବୋଲେରୋ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଟେଭାପଦର ଗ୍ରାମର ପ୍ରେମାନନ୍ଦ କ୍ଷେତି (୭୦ ) ବୋଲି ଜଣାପଡିଛି। ସବୁଦିନ ଭଳି ଆଜି ମଧ୍ୟ ହାତରେ ବ୍ୟାଗ ଧରି ସୁବଳୟା ଦୈନିକ ବଜାରକୁ ଚାଲି ଚାଲି ସଉଦା କରିବାକୁ ଯାଉଥିଲେ। ଏହି ସମୟରେ ପିତାମହୁଲ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ପ୍ରେମାନନ୍ଦଙ୍କୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିଲା।
ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡି ଓ ଚାଳକ ସୁବଳୟା ଥାନା ଆତ୍ମସମର୍ପଣ କରିଥିବା ଜଣାଯାଇଛି। ପ୍ରେମାନନ୍ଦ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀମାନେ କଦଲିଗଡ- ସୁବଳୟା ମୁଖ୍ୟ ରାସ୍ତା ଟେଭାପଦାର ଛକ ଠାରେ ମୃତ ଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଛି। ଖବର ପାଇ ବୀରାମହରାଜପୁର ଓ ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାଡିଛି।