ପୁରୀ (ସମୀର ରଞ୍ଜନ ନାୟକ ):ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍ ଠାରେ ଆୟୋଜିତ ଗୋ-ନବରାତ୍ର ମହୋତ୍ସବରେ କହିଛନ୍ତି।ସୂଚନା ଯୋଗ୍ୟ ଯେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ, ଓଡିଶା ଗୋ ସେବା ସମିତି ହରିହରାନନ୍ଦ ଗୁରୁକୁଳମ୍ ପକ୍ଷରୁ ପୁରୀ ଠାdm ଚଳିତ ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବ ଆୟୋଜନ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବରେ ଉଦ୍ବୋଧନ ଦେଇ କହିଥିଲେ ଯେ କେଉଁ ଆବାହମାନ କାଳରୁ ଆମ ସଂସ୍କୃତି ଓ ପରମ୍ପରାରେ ଗୋ ବଂଶର ଏକ ଅଲଗା ମହତ୍ବ ରହିଛି।
ପ୍ରଚୀନ କାଳରେ ଗୋ ମାତାଙ୍କ ସ୍ଥାନ କୌଣସି ରତ୍ନରୁ କମ୍ ନଥିଲା। ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ ଗାଇର କ୍ଷୀର, ଗୋମୂତ୍ର ଓ ଗୋବରର ଔଷଧୀୟ ତତ୍ତ୍ବ ରହିଛି। ଶ୍ରୀକ୍ଷେତ୍ର ପୁରୀଠାରେ ଆୟୋଜିତ ଏହି ନବରାତ୍ର ମହୋତ୍ସବ ଗୋସେବା କ୍ଷେତ୍ରରେ ଓଡିଶାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ମହାନ୍ ପ୍ରଚେଷ୍ଟା। ପୂଜ୍ୟ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ପୌରହିତ୍ୟରେ ଓଡିଶାରେ ପ୍ରଥମ କରି ଏହି ଗୋ ସେବା ଜାଗରଣ ଯାତ୍ରା ଆରମ୍ଭ ହୋଇଥିଲା। ଗୁରୁଜୀଙ୍କ ନେତୃତ୍ବରେ ଓଡିଶାର ୯୦ଟି ସ୍ଥାନରେ ଗୋ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଛି। ସେ କହିଥିଲେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଗୋସମ୍ପଦର ବୃଦ୍ଧି ଓ ସୁରକ୍ଷାକୁ ଗୁରୁତ୍ବର ସହିତ ନେଉଛନ୍ତି। ଗୋସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଆଇନ ଅନୁଯାୟୀ କଠୋରରୁ କଠୋର ପଦକ୍ଷେପ ନିଆଯିବ।
ମୁଖ୍ୟମନ୍ତ୍ରୀ ହରିହରାନନ୍ଦ ଗୁରୁକୁଳମ୍ରେ ପ୍ରତିଷ୍ଠା ହୋଇଥିବା ଗୋଶାଳାର ଗୋଟିଏ ଗୋମାତାଙ୍କ ସେବା ପାଇଁ ବ୍ୟକ୍ତିଗତ ଭାବେ ଏକ ବର୍ଷର ଗୋଖାଦ୍ୟର ସହଯୋଗ କରିବେ ବୋଲି ଘୋଷଣା କରିଥିଲେ।କାର୍ଯ୍ୟକ୍ରମ ରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଥିଲେ ଯେ ଗୋ ମାତା ଙ୍କ ସହ ହିନ୍ଦୁ ସମାଜ ର ନିବିଡ ସମ୍ପର୍କ ରହିଛି।
ରାଜ୍ୟର ଗୋଶାଳା ମାନଙ୍କ ସହାୟତା ପାଇଁ ୨୩ କୋଟି ଟଂକା ପ୍ରଦାନ କରାଯିବ ।ପରମହଂସ ପ୍ରଜ୍ଞାନା ନନ୍ଦ ମହାରାଜ କହିଥିଲେ ଯେ, ଆମ ସମସ୍ତ ଙ୍କ ହୃଦୟର ସ୍ପନ୍ଦନ ରେ ଗୋ ସେବା ସ୍ୱତନ୍ତ୍ର ସ୍ଥାନ ନେଉ। ଗୋ ମାତା ସୁସ୍ଥ ରହିଲେ ଧରିତ୍ରୀ ସୁସ୍ଥ ରହିବ। କାର୍ଯ୍ୟକ୍ରମରେ ସ୍ବାମୀ ଦୀନବନ୍ଧୁ ଦାସ ମହାରାଜ ଗୋ-ମହିମା ବିଷୟରେ କହିଥିଲେ। ଅତିଥି ଭାବେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର ଯୋଗଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ସାଧୁ, ସନ୍ଥ, ଗୋ ସେବକ, ଗୋ ପାଳକ ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।