ପୁରୀ (ସମୀର ରଞ୍ଜନ ନାୟକ): ସଡକକୁ ସୁରକ୍ଷିତ ରଖାଯାଇପାରିଲେ ସଡ଼କ ସୁରକ୍ଷା ସହଜ ହୋଇ ପାରିବ। ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ପରସ୍ପର ସୁସମନ୍ୱୟ ରଖି କାର୍ଯ୍ୟ କଲେ ସଡକ ସୁରକ୍ଷା ସଫଳ ହେବା ସହ ଅନେକ ଜୀବନ ରକ୍ଷା ହୋଇ ପାରିବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ବେହେରା ସଡକ ସୁରକ୍ଷା ପାଇଁ ଥିବା ନିୟମ ଓ ମାର୍ଗଦର୍ଶିକା କୁ ଅନୁପାଳନ କରାଗଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇବ ।ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ଧରପଗଡ ଜାରି ରଖିବା,ଲୋକ ମାନଙ୍କୁ ସଚେତନ କରାଇବା, ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ।
ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୧୩୨ ବିନା ହେଲମେଟ ଯାଞ୍ଚ କରାଯାଇ ୭୫ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ବେଳେ ଦ୍ରୁତ ଗତିରେ ଗାଡି ଚାଳନା କ୍ଷେତ୍ରରେ ୪୫୧୭ କେଶ ମଧ୍ୟରୁ ୭୦୧ ଲାଇସେନ୍ସ ସସପେଣ୍ଡ କରାଯାଇଛି।ସିଟବେଲ୍ଟ ଉଲ୍ଲଘଂନ କ୍ଷେତ୍ରରେ ୭୪ ଜଣ,ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୧୩୪ ଜଣ,ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୧୮୨ ଜଣଙ୍କୁ ଚିହ୍ନଟ କରାଯାଇଥିଲା।ଏହି ସମସ୍ତ ଘଟଣାରେ ମୋଟ ୭୦୫୮ କେଶ ମଧ୍ୟରୁ ୮୪୨ ଜଣଙ୍କ ଲାଇସେନ୍ସ ରଦ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା।୨୦୨୪ ଅକ୍ଟୋବର ମାସ ସୁଦ୍ଧା ୧୨୬୫ ଚାଲାଣ କଟାଯାଇ ୫୨୯ ଫଏସଲା ହୋଇ ୩୨,୦୭,୧୪୨ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୭୩୬ ଟି ପେଣ୍ଡିଙ୍ଗ ରହିଛି ଓ ୮୧ ଜଣଙ୍କ ର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ପରିବହନ ବିଭାଗ ସୂତ୍ରରୁ ପ୍ରକାଶ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ , ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ସିଡ଼ିଏମଓ ଙ୍କ ପ୍ରତିନିଧି ଡା ପବିତ୍ର ମୋହନ ମଲ୍ଲିକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର,ରାଜ୍ୟ ବସ ମାଲିକ ସଂଘର ସଭାପତି ଲୋକନାଥ ପାଣି,ଟୁରିଷ୍ଟ ବସ ମାଲିକ ସଂଘ ସମ୍ପାଦକ ପ୍ରଦୀପ କୁମାର ଦାସ, ପୁରୀ ବେସରକାରୀ ବସ ମାଲିକ ସଂଘର ରାଜବଲ୍ଲଭ ମିଶ୍ର, ଏଡିଆଇଓ ଦୂର୍ଗା ପ୍ରସାଦ ଜେନା,ଟାଉନ ବସ ମାଲିକ ସଂଘର ପ୍ରତିନିଧି,ଜାତୀୟ ରାଜପଥ ପ୍ରତିନିଧି ବରଦାକାନ୍ତ ସାହୁ, ଅନ୍ୟାନ୍ୟ ବିଭାଗର ଅଧିକାରୀ,ବସ ମାଲିକ ସଂଘର ପ୍ରତିନିଧି ଓ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ ଥିଲେ।ପ୍ରାରମ୍ଭରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ସ୍ବତନ୍ତ୍ର ଅଧିକାରୀ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତଯୋଗ୍ୟ କରିଥିଲେ।ଏମଭିଆଇ ଅମିତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ।