ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଂଘର ଅଷ୍ଟମ ବାର୍ଷିକ ଜାତୀୟ ସମ୍ମିଳନୀ

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ) :ବୁଗୁଡା ପିପୁଲ୍ସ କଲେଜର ସମ୍ମିଳନୀ କକ୍ଷରେ ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଙ୍ଘର ଅଷ୍ଟମ ବାର୍ଷିକ ଜାତୀୟ ସମ୍ମିଳନୀ ନଭେମ୍ବର ୧୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । କଲେଜର ଅର୍ଥନୀତି ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଆଦିତ୍ୟ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରଫେସର ବିପିନ ନାୟକ, କଲେଜ ପରିଚାଳନା ସମିତି ସଭାପତି ରଜନୀକାନ୍ତ ଭଟ୍ଟ, ସାଉଥ୍ ଓଡିଶା ଇକୋନୋମିକ ଏସୋସିଏସନ ଜେନେରାଲ ସେକ୍ରେଟାରୀ ପ୍ରଫେସର ସନ୍ଧ୍ୟାରାଣୀ ଦାଶ, ପିପୁଲ୍ସ କଲେଜ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅର୍ଗାନାଇଜିଙ୍ଗ୍ ସେକ୍ରେଟାରୀ ଅଧ୍ୟାପକ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଶୀର୍ଷକ “ଭିଜନ୍ ଇଣ୍ଡିଆ ୨୦୪୭ : ରିଏଲାଇଜିଙ୍ଗ୍ ଦି ଡ୍ରିମ୍ ଅଫ୍ ବିକଶିତ ଭାରତ” ଉପରେ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଏଥି ସହ ସୋଆ ସଭାପତି ମୃତ୍ୟୁଞ୍ଜୟ କୁମାର ମିଶ୍ର ଏବଂ ଭାରତ ସରକାରଙ୍କ ଏମ୍ଆରଡି ଫାକ୍ଯୁଆଲଟି ପ୍ରଦୀପ କୁମାର ନାଥ ପ୍ରମୁଖ ଭିଡିଓ କନଫରେନ୍ସ ମାଧ୍ୟମରେ ଉକ୍ତ ବିଷୟବସ୍ତୁ ସମ୍ପର୍କେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ସୋଆ ସଦସ୍ୟ/ସଦସ୍ୟା ବୃନ୍ଦ ଯୋଗ ଦେଇଥିଲେ।ଏହି ଅବସରରେ ସାଉଥ୍ ଓଡିଶା ଇକୋନୋମିକ ଏସୋସିଏସନ ପକ୍ଷରୁ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

କଟକ ନରସିଂହପୁର କଲେଜ ଅଧ୍ଯାପକ ଅରୁଣ କୁମାର ନିଶଙ୍କଙ୍କ ଦ୍ବାରା ଲିଖିତ ପୁସ୍ତକ “ମୌଳିକ ବ୍ଯଷ୍ଟି ଓ ସମଷ୍ଟି ଅର୍ଥନୀତି” ର ଉନ୍ମୋଚନ ମଧ୍ୟ ଅତିଥିମାନଙ୍କ ଦ୍ବାରା କରାଯାଇଥିଲା। ପିପୁଲ୍ସ କଲେଜ ଅଧ୍ଯାପକ ଆତ୍ମପ୍ରକାଶ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସମ୍ମିଳନୀର ଦ୍ବିତୀୟ ପର୍ଯ୍ଯାୟରେ ଚାରୋଟି ଟେକ୍ନିକାଲ ସେକ୍ସନ୍ ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!