ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର/ପୁରୀ(ସମୀର ରଞ୍ଜନ ନାୟକ): ଓଡିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ନିମାପଡା ଇନଣ୍ଡୋର ଷ୍ଟାଡିୟମ୍ ହଲରେ ଆୟୋଜିତ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ। ମହିଳା ମାନଙ୍କୁ ସେମାନଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ବିଷୟରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ ଥିଲା।ସମାଜରେ ମହିଳା ମାନଙ୍କ ବିରୋଧରେ ଘଟୁଥିବା ହିଂସା, ମାନସିକ, ଶାରୀରିକ, ଆର୍ଥିକ ଓ ଯୌନ ନିର୍ଯାତନା, କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା, ସାଇବର ଅପରାଧ, ମହିଳାଙ୍କୁ ଡାହାଣୀ ଭାବି ନିର୍ଯାତନା, ଭୃଣ ହତ୍ୟା, ଅନୈତିକ ମହିଳା ଓ ଶିଶୁ ଚାଲାଣ, ଯୌତୁକ ଆଦି ନିର୍ଯାତନା ଓ ଅପରାଧିକ କାର୍ଯ୍ୟ କଳାପରୁ ମହିଳା ମାନେ ନିଜକୁ ସୁରକ୍ଷା ପ୍ରଦାନ କରିବାପାଇଁ ସେମାନେ ନିଜର ସାମ୍ବିଧାନିକ ଅଧିକାର ଓ ବିଭିନ୍ନ ମହିଳା ସୁରକ୍ଷା ସମ୍ପର୍କିତ ସ୍ଵତନ୍ତ୍ର ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଏହି ଶିବିର ଅତ୍ୟନ୍ତ ସହାୟକ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

କୌଣସି ପ୍ରଗତିଶୀଳ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ବିକାଶର ପ୍ରତ୍ୟକ କ୍ଷେତ୍ରରେ ସାମିଲ କରିବା ସହ ସେମାନଙ୍କ ସର୍ବାଙ୍ଗିନ ଉନ୍ନତି ସାଧନ କରିବା । ରାଜ୍ୟର ସର୍ବାଙ୍ଗିନ ବିକାଶ ଦିଗରେ ଉଭୟ ମହିଳା ଓ ପୁରୁଷ ସମଭାବେ ଯୋଗଦାନ କରିବା ଓ ବିକାଶର ସୁଫଳ ଉଭୟଙ୍କୁ ସମଭାବେ ଉପଲବ୍ଧ କରାଇବା ଦିଗରେ ରାଜ୍ୟ ସରକାର କାର୍ଯ୍ୟରତ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ସହାୟତା ଓ ସହଯୋଗରେ ମହିଳା ଆୟୋଗ ମହିଳା ମାନଙ୍କ ସାମ୍ବିଧାନିକ ମୌଳିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କ ପ୍ରତ୍ୟକ କ୍ଷେତ୍ରରେ ଯୋଗଦାନ ଓ ସଶକ୍ତିକରଣ କରିବା ପାଇଁ ଚେଷ୍ଟିତ ତେଣୁ ରାଜ୍ୟ ମହିଳା ଆୟୋଗ ନିୟମିତ ଭାବେ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଓ ଅନ୍ୟାନ୍ୟ ଅଂଶିଦାର ମାନଙ୍କୁ ସଚେତନ କରାଇବା ପାଇଁ ଆୟୋଜନ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ମହିଳାମାନେ ପରିବାର, ଗୋଷ୍ଠୀ , ସମାଜ ତଥା ରାଜ୍ୟରେ ସୁରକ୍ଷିତ ରହିଲେ ରାଜ୍ୟ ଓ ରାଷ୍ଟ୍ରର ଉନ୍ନତି ଓ ପ୍ରଗତି ତ୍ଵରାନ୍ନିତ ହେବ , ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ମାନ୍ୟବର ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି,ନିମାପଡା ପଂଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ, ପୁରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିମାପଡା ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିମାପଡା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!