ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ମୁକ୍ତ କାଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦେଶବ୍ୟାପୀ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିବା ବେଳେ ବାଲ୍ୟ ବିବାହ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ସହଯୋଗରେ ଏକ ଶୋଭାଯାତ୍ରା ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ଉପସ୍ଥିତ ଥିବା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣା ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ସଂକ‌ଳ୍ପ ନେଇଥିଲେ ।ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣା ଏହି ସମାରୋହରେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲାର ମହିଳା ନେତ୍ରିମାନଙ୍କୁ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ । ଜିଲ୍ଲାର ୩୦୦ ରୁ ଉର୍ଦ୍ଧ ଗ୍ରାମବାସୀ, ଗ୍ରାମ ମୁଖୀଆ, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ (CMPO), ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷୟିତ୍ରୀ ଓ ମହିଳାମାନେ ଶପଥ ନେଇ ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ବାଲ୍ୟ ବିବାହ ଉଚ୍ଛେଦ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣା ଦେବୀ ନଭେମ୍ବର ୨୭ ତାରିଖରେ ଘୋଷଣା କରିଥିବା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରତିକ୍ରିୟାରେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଉନ୍ମୋଚନ ସମୟରେ ବାଲ୍ୟ ବିବାହକୁ ସହଜରେ ରିପୋର୍ଟ କରିବା ପାଇଁ ଏକ ଜାତୀୟ ପୋର୍ଟାଲ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଣା କହିଲେ, “ଖୋର୍ଦ୍ଧା ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ।”ଦେଶବ୍ୟାପୀ ଅଭିଯାନ ଏବଂ ଏହା କିପରି ସେମାନଙ୍କ କାର୍ଯ୍ୟକୁ ତ୍ବରାନ୍ବିତ କରିବ ସେ ବିଷୟରେ ରୁଚିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ବେଣୁଧର ସେନାପତି କହିଛନ୍ତି, ଏପରି କୌଣସି ବିବାହକୁ ରୋକିବା ପାଇଁ ଆମେ ସରକାରୀ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ମୁଖ୍ୟଙ୍କ ସହ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ଏହି ଅଭିଯାନ ଏହି ଲଢ଼େଇରେ ଏକ ନୂତନ ଶକ୍ତି ଏବଂ ସମର୍ଥନ ଦେବ ।

ବାଲ୍ୟ ବିବାହ ଅପରାଧରେ ଆଉ ନିରବ ରହିବେ ନାହିଁ ବୋଲି ଭାରତ ବିଶ୍ୱକୁ ଦେଖାଇଦେଇଛି ଏବଂ ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ଉପଯୁକ୍ତ ଶୈଶବ ସୁନିଶ୍ଚିତ କରିବା ପାଇଁ ଆମେ ଆମ ସାମର୍ଥ୍ୟ ଅନୁଯାୟୀ ସବୁ କିଛି କରିବୁ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତି ଜୋତ୍ସ୍ନାମୟୀ ଆଚାର୍ଯ୍ୟ, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ସୁଷମା ମହାନ୍ତି ,ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସୌଦାମିନି ଦାଶ, ଆକ୍ସନ ଏଡ଼ର ବାଲ୍ୟ ବିବାହ ନିରାକରଣ ଜିଲ୍ଲା ସଂଯୋଜକ ଶ୍ରୀ ଉତ୍କଳ ମାଇତି, ବିଶ୍ୱ ଜୀବନ ସେବା ସଂଘ, ଭୈରବୀ କ୍ଲବ କର୍ମକର୍ତ୍ତାମାନେ ଯୋଗଦେଇ ମହିଳା ନେତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat