ଡିଏମ୍ଏଫ୍ ମୋବାଇଲ୍ ମେଡ଼ିକାଲ୍ ୟୁନିଟ୍ ଲୋକଙ୍କ ପାଖରେ ପହଞ୍ଚୁଛି,ମାଗଣାରେ ସେବା ଦେଉଛି

କେନ୍ଦୁଝର(ସୀତାରାମ ଦୀକ୍ଷିତ) : ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ କେନ୍ଦୁଝର ସହଯୋଗରେ ଚଳିତ ବର୍ଷ ଜିଲ୍ଲାରେ ଗଡ଼ିବା ଆରମ୍ଭ କରିଥିବା ମୋବାଇଲ୍ ମେଡ଼ିକାଲ ୟୁନିଟ୍ (ଏମଏମୟୁ) ବର୍ତ୍ତମାନ ଜିଲ୍ଲାବ୍ୟାପୀ ଉଲ୍ଲେଖନୀୟ ସେବା ଯୋଗାଉଛି। ପ୍ରତ୍ୟେକ ବ୍ଲକରେ ଏବେ ଗୋଟିଏ ଲେଖାଏଁ ଭ୍ୟାନ୍ ରହିବା ସାଙ୍ଗକୁ ଦୈନିକ ଗାଁକୁ ଗାଁ ବୁଲି ହଜାର ହଜାର ଲୋକଙ୍କୁ ସମ୍ପୂର୍ଣ ମାଗଣାରେ ଗୁଣାତ୍ମକ ଚିକିତ୍ସା ସେବା ପ୍ରଦାନ କରୁଛି। କାର୍ଯ୍ୟକାରୀ ହେବାର ସଂକ୍ଷିପ୍ତ ଅବଧି ମଧ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ୨୧ ହଜାରରୁ ଉର୍ଦ୍ଧ୍ୱ ରୋଗୀ ଉପକୃତ ହେଲେଣି।ଗତ ସେପ୍ଟେମ୍ବର ୨୧ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆ ଠାରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ସେ ପତାକା ଦେଖାଇ ଡିଏମ୍ଏଫ୍ ମୋବାଇଲ୍ ମେଡ଼ିକାଲ୍ ୟୁନିଟ୍ ବା ଏମ୍ଏମୟୁ ସେବାର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ବ୍ଲକରେ ଗୋଟିଏ ପରେ ଗୋଟିଏ ଭ୍ୟାନ୍ ଗଡ଼ିବା ଆରମ୍ଭ କରିଥିଲା ଏବଂ ଗତ ଅକ୍ଟୋବର ୨୪ ତାରିଖ ପରଠୁ ଜିଲ୍ଲାର ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ ଭ୍ୟାନ୍ ଚାଲୁଛି। ଏହି ଭ୍ୟାନ୍ ଗୁଡ଼ିକ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରହୁଛି ଏବଂ ଦୈନନ୍ଦିନ ଗାଁକୁ ଗାଁ ବୁଲି ଲୋକମାନଙ୍କୁ ସେବା ଯୋଗାଉଛି। ଦୈନିକ ଦୁଇରୁ ତିନୋଟି ଗାଁ ବୁଲିବା ସହିତ ଅତି କମରେ ୬୦ ଜଣ ରୋଗୀଙ୍କ ପଞ୍ଜୀକରଣ କରି ଚିକିତ୍ସା ଯୋଗାଇବାର ନିୟମ ରହିଛି।ପ୍ରତ୍ୟେକ ଭ୍ୟାନରେ ୫ ଜଣ ଷ୍ଟାଫ୍ ରହୁଛନ୍ତି।

ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଜଣେ ମେଡ଼ିକାଲ୍ ଅଫିସର, ସହଯୋଗ ପାଇଁ ଜଣେ ଏଏନ୍ଏମ୍, ବିଭିନ୍ନ ପ୍ରକାର ଟେଷ୍ଟ୍ କରିବା ପାଇଁ ଜଣେ ଲ୍ୟାବ୍ ଟେକ୍ନିସିଆନ୍, ଔଷଧ ବିତରଣ ପାଇଁ ଜଣେ ଫାର୍ମାସିଷ୍ଟ୍ ଏବଂ ଗାଡ଼ି ଚଳାଇବା ପାଇଁ ଜଣେ ଡ୍ରାଇଭର। ପୂର୍ବ ଯୋଜନା ମୁତାବକ, ଗୋଟିଏ ଭ୍ୟାନ୍ ଧାର୍ଯ୍ୟ ସମୟରେ ଷ୍ଟେସନରୁ ବାହାରି ନିର୍ଦ୍ଦିଷ୍ଟ ଗାଁକୁ ଯାଇଥାଏ। ସେଠାରେ ପହଞ୍ଚିବା ପରେ ପ୍ରତ୍ୟେକ ରୋଗୀଙ୍କର ପ୍ରଥମେ ପଞ୍ଜୀକରଣ କରାଯାଇଥାଏ। ଏହାପରେ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଇତ୍ୟାଦି କରାଯାଇଥାଏ। ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଔଷଧ ବିତରଣ ସାଙ୍ଗକୁ ବିଭିନ୍ନ ରୋଗ ସମ୍ପର୍କିତ ଜରୁରୀ ପରାମର୍ଶ ଏବଂ ସଚେତନତା ବାର୍ତ୍ତା ମଧ୍ୟ ଏହାଦ୍ୱାରା ଦିଆଯାଇପାରୁଛି।

Leave a Reply

Your email address will not be published. Required fields are marked *

error: Content is protected !!