ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼): ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍, ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳେଇ ଯାଇଥିବାର ବନବିଭାଗର ସୂଚନା ।କରଞ୍ଜିଆ:(ଜିତେନ୍ଦ୍ର ରାଜ )ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲକୁ ବାଘୁଣୀ ଜୀନତ ପଳାଇ ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁଦୂର ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ଜୀନତ କିଛି ଦିନ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରିବା ପରେ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି ।ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ, “ଗତକାଲି(ରବିବାର) ରବିବାର ରାତିରେ ଜୀନତ ବାଙ୍ଗିରିପୋଷି ରେଞ୍ଜ, ବିଶୋଇ ରେଞ୍ଜ ଓ ରାଇରଙ୍ଗପୁର ରେଞ୍ଜ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଛି । ବାଘୁଣୀ ଜୀନତକୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଫେରାଇ ଆଣିବାର ସେମିତି କିଛି ପ୍ରକ୍ରିୟା ନାହିଁ ।” ବନବିଭାଗର ଅନୁଧ୍ୟାନକାରୀ ଟିମ ଝାଡ଼ଖଣ୍ଡ ବନବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଶିମିଳିପାଳରେ ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟ ନେଇ ମହାରାଷ୍ଟ୍ରର ତଡବା ସ୍ଥିତ ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ତିନି ବର୍ଷର ବାଘୁଣୀ ଜୀନତକୁ ଅଣାଯାଇଥିଲା ।
୧୫ ନଭେମ୍ବର ସକାଳ ସମୟରେ ଶିମିଳିପାଳର ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ଜୀନତକୁ ଛଡାଯାଇଥିଲା । ସେହି ଏନକ୍ଲୋଜର ମଧ୍ୟରେ ବାଘୁଣୀ ଜୀନତ ୩ଟି ବାରହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଛଡାଯାଇଥିଲା । ଟ୍ରାପ ଚିପ୍ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳରେ ବାଘୁଣୀ ଜୀନତକୁ ଛାଡିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ ।ଶିମିଳିପାଳରେ ଜୀନତ ବିଚରଣ କରୁଥିବାବେଳେ ବାଘୁଣୀର ସ୍ବାସ୍ଥ୍ୟବସ୍ଥା ଓ ଗତିବିଧି ଉପରେ ନଜର ରଖିଥିଲା ବନବିଭାଗ । ତେବେ ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ବାଘୁଣୀ ଜୀନତ୍ ବିଚରଣ କରୁଥିବାବେଳେ ଗତକାଲି ଝାଡ଼ଖଣ୍ଡ ରାଜ୍ୟକୁ ମହାବଳ ବାଘୁଣୀ ପହଞ୍ଚିଯାଇଥିବା ଜଣାପଡ଼ିଛି । ସେପଟେ ଅନ୍ୟ ଏକ ବାଘୁଣୀ ଯମୁନା ଏବେବି ଶିମିଳିପାଳରେ ବିଚରଣ କରୁଥିବା କହିଛନ୍ତି ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନୀ ।ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ