ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଇରାଝୁଲି ଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ସୁବର୍ଣ୍ଣପୁର (ଚୈତନ୍ୟ ଭୁକ୍ତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡା ଉତ୍ସବରେ ଜାଲୋଏ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବେନ୍ଦ୍ର ବଘାର ମୁଖ୍ୟ ଅତିଥିଭାବେ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଲେଖାରାଜ ସାଗର ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଏହି ବାର୍ଷିକ କ୍ରୀଡା ଉତ୍ସବରେ ସାଇକେଲ ସ୍ଲୋ, ରିଲେ ରେସ, ଅଖା ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଦୌଡ଼ି ଡିଆଁ, ମ୍ୟୁଜିକ ଚେୟାର, ୫୦ମିଟର ଦୌଡ, ୧୦୦ମିଟର ଦୌଡ, ୨୦୦ମିଟର ଦୌଡ, ପୁଚି ଖେଳ, କୁଇଜ ପ୍ରଭୃତି ୨୨ ଗୋଟି ପ୍ରତିଯୋଗିତାରେ ପ୍ରାୟ ୧୦୦ ରୁ ୨୦୦ଜଣ କୋମଳମତି ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବାର୍ଷିକ କ୍ରୀଡା ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଏହି ବାର୍ଷିକ କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପଧାନ, ଅନ୍ୟ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ କିଶୋର ସାହୁ, ଶ୍ରୀଯୁକ୍ତ ଜିତେନ୍ଦ୍ର ପର୍ଡିଆ, ଶ୍ରୀଯୁକ୍ତ ସୁଦର୍ଶନ ଭୁକ୍ତା, ଶ୍ରୀଯୁକ୍ତ ପ୍ରମୋଦ ସାହୁ, ଶ୍ରୀଯୁକ୍ତ ପ୍ରଭାସ ମେହେର, କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସରତ କୁମାର ନାଏକ, ବିଦ୍ୟାଳୟ ପରିଚାଳନା କମିଟି ଓ ମୋ ସ୍କୁଲ ଅଭିଯାନର ସମସ୍ତ ସଦସ୍ୟ ସଦସ୍ୟା ପୂର୍ଣ୍ଣ ସହଯୋଗ କରି ବାର୍ଷିକ କ୍ରୀଡା ଉତ୍ସବକୁ ଉତ୍ସବ ମୁଖର କରିପାରିଥିଲେ। ସର୍ବଶେଷରେ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହାପରେ ବିଦ୍ୟାଳୟରେ ପରିଲକ୍ଷିତ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟାର ତ୍ୱରିତ ସମାଧାନ କିଭଳି ଭାବରେ ହୋଇପାରିବ ସେହି ବିଷୟରେ ପୁଙ୍କଖାନୁ ପୁଙ୍ଖ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ସମସ୍ତେ ପ୍ରାଣପଣେ ଚେଷ୍ଟା କରିବେ ବୋଲି ସମସ୍ତେ ଶପଥ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!