କରଞ୍ଜିଆ (ଜିତେନ୍ଦ୍ର ରାଜ ) : ମୟୂରଭଞ୍ଜ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ଜେନେଟିକ୍ ଡାଇଭର୍ସିଟି (ବଂଶାନୁକ୍ରମିକ ବିବିଧତା) ପରିବର୍ତ୍ତନ କରିବା ନେଇ ଆରମ୍ଭ ହୋଇଥିବା ମିଶନ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଯେଉଁ ଦୁଇ ବାଘୁଣୀ (ଜିନ୍ନତ ଓ ଯମୁନା) ଙ୍କୁ ମହାରାଷ୍ଟ୍ରରୁ ଅଣାଯାଇ ମିଶନ କାର୍ଯ୍ୟକାରୀ କରାଯାଇଥିଲା ସେହି ବାଘୁଣୀ ଯମୁନା ଓ ଜିନ୍ନତ ଏବେ ଶିମିଳିପାଳ ଛାଡ଼ି ଅନ୍ୟ ଜଙ୍ଗଲକୁ ପଳାଇଛନ୍ତି। ୮ ଦିନ ହେଲା ବାଘୁଣୀ ଜିନ୍ନତ ଶିମିଳିପାଳ ଅଭୟାରଣ୍ୟ ର ଘଞ୍ଚ ଜଙ୍ଗଲ କୋର ଏରିଆ ଛାଡି ଝାଡ଼ଖଣ୍ଡ ଜଙ୍ଗଲରେ ରହୁଥିବା ବେଳେ ବାଘୁଣୀ ଜିନ୍ନତ ପରେ ରବିବାର ରାତିରେ ବାଘୁଣୀ ଯମୁନା ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ର ଘଞ୍ଚ ଜଙ୍ଗଲ କୋର ଏରିଆ ଛାଡ଼ି ବାଲେଶ୍ୱର ଜିଲ୍ଲା ର କୁଲଡ଼ିହା ଅଭୟାରଣ୍ୟକୁ ପଳାଇଛି।
ଉଭୟ ବାଘୁଣୀ ଜିନ୍ନତ ଓ ଯମୁନା କୁ ଟ୍ରାକିଂରେ ରଖାଯାଇଛି ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।ବାଘୁଣୀ ନଭେମ୍ବର ୧୪ରେ ମହାରାଷ୍ଟ୍ର ରୁ ଆସିଥିବା ଜିନ୍ନତ ଡିସେମ୍ବର ୮ରେ ଶିମିଳିପାଳରୁ ବାହାରି ଝାଡ଼ଖଣ୍ଡ ରାଜ୍ୟର ଚିଆବାନ୍ଧି, ମଚାପଢ଼ିଆ ଓ ରାଜାବସା ଜଙ୍ଗଲରେ ଅବସ୍ଥାନ କରୁଛି। ତେବେ ଶିମିଳିପାଳ ଅଭୟାରଣ୍ୟରୁ ୪୦ କି.ମି. ଦୂରକୁ ଯାଇଥିବା ଜିନ୍ନତ ପଛରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ତାଲିମ୍ପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ତିନୋଟି ଟିମ୍ ସହ ମୋଟ ୧୫ କର୍ମଚାରୀ ରହିଛନ୍ତି। ଅନ୍ୟପକ୍ଷରେ ଅକ୍ଟୋବର ୨୭ରେ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଯମୁନା ରବିବାର ରାତିରେ ଶିମିଳିପାଳ ଅଭୟାରଣ୍ୟ ର ଘଞ୍ଚ ଜଙ୍ଗଲ କୋର ଏରିଆ ରୁ କପ୍ତିପଦା ରେଞ୍ଜ ଅଧୀନ ଶରତ ଅଞ୍ଚଳ ର ଶୁଖୁଆପଟା ପାହାଡ଼ ଦେଇ ବାଲେଶ୍ୱର ଜିଲ୍ଲା ର ଔପଦା ଏବଂ ସେଠାରୁ କୁଲଡ଼ିହା ଅଭୟାରଣ୍ୟରେ ପହଞ୍ଚିଛି।
ପାହାଡ଼ିଆ ଜଙ୍ଗଲରେ ଯମୁନା କିଛି ଦିନ ଧରି ନିଜର ବାସସ୍ଥାନ ପ୍ରସ୍ତୁତି କରିବାରେ ଲାଗିଥିଲା। ମାତ୍ର ସମତଳ ଜଙ୍ଗଲରୁ ଆସି ପାହାଡ଼ିଆ ଜଙ୍ଗଲରେ ନିଜକୁ ଖାପ ଖୁଆଇବା ପାଇଁ କୋର୍ ଅଞ୍ଚଳର ସୀମାନ୍ତରେ ଘୂରିବୁଲିଥିଲା। ତେବେ ରବିବାର ରାତିରେ ଯମୁନା ଶିମିଳିପାଳ ଅଭୟାରଣ୍ୟ ପାର ହୋଇ କୁଲଡିହାରେ ପହଞ୍ଚି ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଶିମିଳିପାଳର ବଣପାହାଡ଼ଘେରା ଜଙ୍ଗଲରେ ସେମାନେ ନିଜକୁ ଖାପ ଖୁଆଇ ପାରୁନାହାନ୍ତି। ୨ ବାଘୁଣୀଙ୍କୁ ଛାଡ଼ିବା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟର ଜଳବାୟୁ ପରିବେଶ ଓ ବନ୍ୟଜନ୍ତୁଙ୍କ ସହ ମିଶିବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପ୍ରଚେଷ୍ଟା କରାଯାଇନାହିଁ। ତାକୁ ଧରିଆଣିବା ମାତ୍ରେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି। ଏନ୍କ୍ଲୋଜରର ପରିସୀମା ବୃଦ୍ଧି କରାଯାଇ ଶିମିଳିପାଳର ବନ୍ୟଜନ୍ତୁଙ୍କ ସହ ପରିଚିତ କରାଇବା ନିତାନ୍ତ ଆବଶ୍ୟକ ରହିଥିଲା। ତରବରିଆ ଭାବେ ମିଶନ ଆରମ୍ଭ କରାଯାଇଥିବାରୁ ଏହା ସଫଳ ହେବାକୁ ନେଇ ଆଶଙ୍କା ଉପୁଜିବାରେ ଲାଗିଛି।