ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ।ସାନ୍ତାଳୀ ଭାଷା ତଥା ଅଲ୍‌ଚିକି ଲିପିରେ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ସାନ୍ତାଳୀ ଲେଖକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ।KG ରୁ PG ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି।ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୨୫ ମସିହାରେ ଅଲ୍‌ଚିକି ଲିପିର ସୃଷ୍ଟି ହୋଇଥିଲା।

ଅଲ୍‌ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଏହି ଅବସରରେ ସ୍ମରଣ କରିବା ସଙ୍ଗେସଙ୍ଗେ ୨୦୨୫ରେ ଏହି ଲିପି ସୃଷ୍ଟି ହେବାର ଶତ ବାର୍ଷିକୀକୁ ଏକ ମିଶନ ଭାବରେ ନେଇ “Mission Ol-Chiki 2025” କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ୨୦୨୫ ସୁଦ୍ଧା ଯଦି ସମସ୍ତେ ଅଲ୍‌ଚିକି ଲିପି ତଥା ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରିପାରିଲେ ତେବେ, ପଣ୍ଡିତ ମୁର୍ମୁଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସେ କହିଥିଲେ। ଏହି କ୍ରମରେ ଓଡିଶାରେ ସାନ୍ତାଳୀ ଭାଷାରେ ପ୍ରାଥମିକ ସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ପ୍ରଚଳନ ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୋଟେ ଜାତିର ଉନ୍ନତି ତଥା ପରିଚୟ ପାଇଁ ମାତୃଭାଷା ହିଁ ସର୍ବଶ୍ରେଷ୍ଠ ଅଟେ।

ସାନ୍ତାଳୀ ଭାଷା ୨୦୦୩ ମସିହାରେ ତତ୍‌କାଳୀନ କେନ୍ଦ୍ର ସରକାର ତଥା ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଯୋଗୁଁ ଭାରତର ସମ୍ବିଧାନର ଅଷ୍ଟମ ଅନୁଛେଦରେ ସ୍ଥାନୀତ ହୋଇ ଆମର ଗୌରବ ବୃଦ୍ଧି କରିଛି। ତେଣୁ, ତାଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ। ସାନ୍ତାଳୀ ଲେଖକ ମାନେ ନିଜର ଲେଖନୀ ବଳରେ ଜାତିର ଭାଷା, ସଂସ୍କୃତି, ପରମ୍ପରା ଓ ଶିକ୍ଷାର ବହୁଳ ପ୍ରଚାର ପ୍ରସାର ପାଇଁ ନିସ୍ବାର୍ଥପର ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ବିଭିନ୍ନ ଭାଷାରେ ଲିଖିତ ପ୍ରସିଦ୍ଧ ପୁସ୍ତକକୁ ସାନ୍ତାଳୀରେ ଓ ସାନ୍ତାଳୀ ଭାଷାରେ ଲିଖିତ ବିଭିନ୍ନ ଶିକ୍ଷଣୀୟ ପୁସ୍ତକକୁ କିପରି ଅନ୍ୟ ଭାଷାକୁ ଅନୁବାଦ ହୋଇ ପାରିବ ସେଥି ନିମନ୍ତେ ଉଦ୍ୟମ କରିବାକୁ ଲେଖକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କାରଣ ଭାଷାର ବହୁଳ ପ୍ରଚାର ପ୍ରସାର ପାଇଁ ଅନୁବାଦ ଚାଲିଛି।

Leave a Reply

Your email address will not be published. Required fields are marked *

error: Content is protected !!