ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ଼) : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୁଲିସ ବଳ। ତିଆରି ହେବ ୧୩୧ ଜଣିଆ ଏକ ସମର୍ପିତ ସଶସ୍ତ୍ର ବା ଡେଡିକେଟେଡ ଆର୍ମଡ ପୁଲିସ ରିଜର୍ଭ କମ୍ପାନୀ । ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । ତିଆରି ହେବାକୁ ଥିବା ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍ ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ । ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବେ ।
କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।ସୂଚନା ଥାଉକି ଶିକାରୀଙ୍କ ଗୁଳିରେ ୨ବନ କର୍ମଚାରୀ ମୃତ୍ୟ ପରେ ତତ୍କାଳୀନ ସରକାର ପୁଲିସ ଓ ବନକର୍ମଚାରୀଙ୍କୁ ନେଇ ଯୁଗ୍ମ ଟାସ୍କ ଫୋର୍ସ(ଜେଟିଏଫ)ଗଠନ କରି ୧୦୦ଜଣିଆ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରିଥିଲେ । ଏହାପରେ ସର୍ଚ୍ଚ ଅପରେସନରେ ଶତାଧିକ ବନ୍ଧୁକ, ମାରଣାସ୍ତ୍ର ଜବତ ସହିତ ବହୁ ସଂଖ୍ୟାରେ ଶିକାରୀ ଗିରଫ ହୋଇଥିଲେ । ତେବେ ମୋହନ ସରକାର ଦାୟିତ୍ୱ ନେବା ପରେ ୧୦୦ଜଣିଆ ସଶସ୍ତ୍ର ପୁଲିସ ବଳକୁ ପ୍ରତ୍ୟାହାର କରିନେଇଥିଲେ ।
ଏନେଇ ରାଜ୍ୟସଭାରେ ବିଜେଡି ସାଂସଦ ଡ ସସ୍ମିତ ପାତ୍ର କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ନିୟନ୍ତ୍ରଣ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମାତ୍ର ୩୪ଜଣ ବନକର୍ମଚାରୀ ବାଘ ସୁରକ୍ଷାରେ ନିୟୋଜିତ ବୋଲି ସେ ଉତ୍ତର ରଖିଥିଲେ । ଅପରପକ୍ଷରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ମଧ୍ୟ ପୁଲିସ ବଳ ପ୍ରତ୍ୟାହାର ପରେ ପୁନର୍ବାର ମୁତୟନ ପାଇଁ ପତ୍ର ଲେଖିଥିଲେ । ସୂଚନା ଥାଉକି ବର୍ତ୍ତମାନ ରାଜ୍ୟରେ ସର୍ବାଧିକ ୩୯ଟି ବାଘ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଥିବା ବେଳେ ୧୪ଟି କଳାବାଘ ଅଛନ୍ତି ।ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ