ବୁଗୁଡ଼ାରେ ବେଧଡକ ଚାଲିଛି ପାଣି ବେପାର, ସିଲ୍ କିମ୍ବା ଅବଧି ରହୁନି ପାଣି ଜାରରେ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ସହରବାସୀଙ୍କୁ ପାଇପ୍‌ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ହେବା ସତ୍ତ୍ବେ ପ୍ଲାଷ୍ଟିକ୍ ଜାରରେ ପାଣି ବିକ୍ରି ଜୋର୍ ଧରିଛି । ପ୍ରତିଦିନ ହଜାର ହଜାର ଲିଟର ପାଣି ଜାର୍ ବିକ୍ରି ହେଉଥିବା ବେଳେ ଏହାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ମିନେରାଲ୍ ଯୁକ୍ତ ବିଶୁଦ୍ଧ ପାନୀୟ ଜଳ ନାମରେ ଏଭଳି ପାଣି ବିକ୍ରି ହେଉଥିବା ବେଳେ ଏହାର ସ୍ବଚ୍ଛତା ଓ ଶୁଦ୍ଧତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏଭଳି ପାଣି ଜାରରେ ନା ସ୍ବଚ୍ଛତା ଓ ଶୁଦ୍ଧତା ନେଇ କୌଣସି ସୂଚନା ରହୁଛି ନା ସିଲ୍ ରହୁଛି । ପାନୀୟ ଜଳକୁ ନେଇ ଯଦି କୌଣସି ସମସ୍ୟା ଉପୁଜିଲେ ଏହାର ଉତ୍ତରଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠିଛି ।

ପ୍ରତିଦିନ ବେଧଡକ ଏଭଳି ପାଣି ଜାର୍ ବିକ୍ରି ହେଉଥିବା ବେଳେ ପ୍ରଶାସନ ଏ ଦିଗରେ ସଂପୂର୍ଣ୍ଣ ନୀରବ ରହଛି।ବୁଗୁଡା ସହରର ଲୋକସଂଖ୍ୟା ଅନୁଯାୟୀ ପିଏଚଡି ପକ୍ଷରୁ ହେଉଥିବା ଜଳ ଯୋଗାଣ ପର୍ଯ୍ୟାପ୍ତ ହେଉନାହିଁ । ଅନ୍ୟପକ୍ଷରେ ଯୋଗାଣ ପାଣିକୁ ଲୋକେ ମଧ୍ୟ ପାନୀୟ ଜଳ ଭାବେ ବ୍ୟବହାର କରୁ ନାହାନ୍ତି । କେବଳ ପାନୀୟ ଜଳ ପାଇଁ ଅଧିକାଂଶ ଲୋକ ଏଭଳି କାର୍ ପାଣି ଉପରେ ନିର୍ଭର କରୁଛନ୍ତି। ବିଶୁଦ୍ଧ ପାଣି ନାମରେ କିଛି କମ୍ପାନୀ ଜାର୍ ଓ ବୋତଲ ପାଣି ବିକ୍ରି କରୁଛନ୍ତି। ଏହି ପାଣିକୁ ଦୁଇ ଚକିଆ କିମ୍ବା ଚାରିଚକିଆ ଗାଡ଼ିରେ ପରିବହନ କରାଯାଇ ଦୋକାନୀଙ୍କଠାରୁ ଆରମ୍ଭ କରି ଲୋକଙ୍କ ଘରେ ଘରେ ପହଞ୍ଚାଯାଉଛି। ସହରରେ ସଂଖ୍ୟାଧିକ ଲୋଳ ଏଭଳି ବିକା ପାଣି ଉପରେ ନିର୍ଭର କରୁଛନ୍ତି ।

ଏହି ପାଣିର ଉତ୍ସ ସମ୍ପର୍କରେ ଲୋକେ ଅଜଣା ରହୁଛନ୍ତି । ଏହାର ଶୁଦ୍ଧତା ଏବଂ ଅବଧି ସଂପର୍କରେ କୌଣସି ସୂଚନା ରହୁନାହିଁ । ସାଧାରଣ ଜନତା କେବଳ ବ୍ୟବସାୟୀଙ୍କ ଉପରେ ଭରସା ରଖି ଏହାକୁ ବିଶୁଦ୍ଧ ପାଣି ଭାବେ ଗ୍ରହଣ କରୁଛନ୍ତି। ଏହାର ତଦାରଖ ଦାୟିତ୍ବରେ ଥିବା ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ସହରରେ ଦିନକୁ ଦିନ ଏହି ବ୍ୟବସାୟ ବଢ଼ିବାରେ ଲାଗିଛି । କିଏ କେଉଁଠି ପାଣି ସଂଗ୍ରହ କରି ବିନା ଫିଲ୍ଡରରେ ଜାରରେ ଭର୍ତ୍ତି କରି ବିକ୍ରି କରୁଛନ୍ତି । ସେଭଳି ସହରରେ ୧୦ ଟଙ୍କିଆ ପାଣି ବୋତଲ ବିକ୍ରି ମଧ୍ୟ ବଢ଼ି ଚାଲିଛି । ନୂଆ ନୂଆ କମ୍ପାନୀର ନାମ ଦେଇ ଏହା ବିକ୍ରି କରାଯାଉଥିବା ବେଳେ ଏହାର ଶୁଦ୍ଧତାକୁ ନେଇ ବି ପ୍ରଶ୍ନ ଉଠିଛି। ବିଶୁଦ୍ଧ ପାଣି ନାମରେ ଏହି ବେପାର ଚାଲିଥିବା ବେଳେ ଲୋକେ ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଥିବା ବି ଅଭିଯୋଗ ହେଉଛି। ପ୍ରଶାସନ ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!