କେନ୍ଦୁଝର (ଦଶରଥ ବାରିକ): କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମିଳନୀ ସାହିତ୍ୟ ସଂସଦର ଅନେକ ବର୍ଷ ସଭାପତି ରହି ସାହିତ୍ୟ ଚର୍ଚ୍ଚା କରି ଅନେକ ସାହିତ୍ୟିକ କବି ଗବେଷକ ବାହାର କରିଥିବା ସାହିତ୍ୟ କବି ପ୍ରାଣ ଦିବାକର ସାହୁଙ୍କ ଆଜି ଦେହାନ୍ତ ହୋଇଯାଇଛି। ଛୁଆ ବେଳୁ ବହୁ କଷ୍ଟରେ ପାଠ ପଢ଼ି ସେ ଜୀବନବ୍ୟାପୀ ସାହିତ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ। ଓଡ଼ିଆ ସାହିତ୍ୟ ସଂସ୍କୃତିର ବିକାଶ ଲାଗି ସେ ଜିଲ୍ଲା,ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଆ ଭାଷା ଅସ୍ମିତା ପ୍ରଚାର ଲାଗି ପ୍ରଖର ଭାଷଣ ଦେଇ ସଚେତନ କରୁଥିଲେ। ଅତି ସରଳ ଜୀବନଯାପନ କରୁଥିବା ଏହି ବ୍ୟକ୍ତିତ୍ଵ ଚାକିରୀ କରିବା ବେଳେ ଛୁଟି ପରେ ସବୁ ଦିନେ ମିଳନୀ ସାହିତ୍ୟ ସଂସଦ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଆସର କରି ଆସୁଥିଲେ।
ଅନେକ ତ୍ୟାଗ କରି ସେ ସାହିତ୍ୟକୁ ନିଶା କରିଥିଲେ। ନିଜେ ସଂଗଠନ କାମ ଲାଗି ଅନ୍ୟକୁ ପ୍ରେରଣା ଦେଇ ନିଜସ୍ଵ ବହି ଛପାଇ ପାରି ନଥିଲେ। କିଛି ବର୍ଷ ହେବ ସେ ମସ୍ତିଷ୍କଘାତ ଶିକାର ହୋଇ ଘରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ପୁଣି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦଘାତର ଶିକାର ହୋଇ ଆଖି ବୁଜି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାର ଲୋକେ ଉପସ୍ଥିତ ଥିଲେ ମର ଶରୀରକୁ ବିଶିଷ୍ଟ ବ୍ୟକ୍ତି ମାନେ ଆସି ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ କିମିରୀଡୋଲି ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର ହୋଇଛି ବଡ଼ ପୁଅ ତନ୍ମୟ ସାହୁ ମୁଖାଗ୍ନି ଦେଇଥିଲେ।