ବୀରସୁରେନ୍ଦ୍ର ସାଏ ସ୍ମାରକୀ ପୀଠରେ ଯୁବ ସମ୍ମେଳନ*

ବରଗଡ (ମୁକୁନ୍ଦ ଦାସ): ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମ ନିକଟବର୍ତ୍ତୀ ବୀର ସୁରେନ୍ଦ୍ର ସାଏ ସ୍ମାରକୀ ପୀଠରେ ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ଯୁବ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି।ଅତାବିରା ଓ ବେଲପାହାଡ ବିବେକାନନ୍ଦ ଯୁବ ମହାମଣ୍ଡଳ ଆନୁକୂଲ୍ୟରେ ଆୟୋଜିତ ଏହି ଯୁବ ସମ୍ମେଳନରେ ପ୍ରାରମ୍ଭରେ ଯୋଗ ଦେଇ ଅତାବିରା ମହାମଣ୍ଡଳର ବରିଷ୍ଠ ସଦସ୍ୟ ଦୁଃଖୀଶ୍ୟାମ ସାହୁ ପତାକା ଉତ୍ତୋଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ। ଏହାପରେ ଉପସ୍ଥିତ ଅତିଥିବୃନ୍ଦ ରାମକୃଷ୍ଣ ପରମହଂସ, ସ୍ବାମୀ ବିବେକାନନ୍ଦ ଏବଂ ମାତା ସାରଦା ଦେବୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପ୍ରଥମ ଅଧିବେଶନରେ ଜାମସେଦପୁର ସ୍ଥିତ ରାମକୃଷ୍ଣ ମିଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷେ ଅପୂର୍ବା ଦାଶ ଓ ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସଂପାଦକ ଅଲେଖ ଚନ୍ଦ୍ର ସାମଲ ଅତିଥି ଭାବରେ ଯୋଗଦେଇ “ସ୍ଵାମୀ ବିବେକାନନ୍ଦଙ୍କ ଦୃଷ୍ଟିରେ ଯୁବ ଶକ୍ତି “ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଦେଶ ସେବାରେ ବ୍ରତୀ ହୋଇ କିପରି କାର୍ଯ୍ୟ କରିବେ ସେଥିପାଇଁ ପ୍ରେରଣା ଦେଇଥିଲେ।ଦ୍ବିତୀୟ ଅଧିବେଶନରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ଵରର ପ୍ରାଧ୍ୟାପକ ସପ୍ତର୍ଷି ମଣ୍ଡଳ ଓ ଅଖିଳ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ କୋଲକାତାର ଜାତୀୟ କାର୍ଯ୍ୟକାରୀ ସଦସ୍ୟ ରଣଜିତ କିଶୋର ମହାନ୍ତି ଯୋଗ ଦେଇ “ସ୍ବାମୀ ବିବେକାନନ୍ଦ ଓ ମହାମଣ୍ଡଳ ବିଚାରଧାରା” ଉପରେ ଆଲୋକପାତ କରିଥିଲେ। ତୃତୀୟ ଅଧିବେଶନରେ ଅତାବିରା ମହାମଣ୍ଡଳର ସଦସ୍ୟ ଦେବରାଜ ପାଣିଗ୍ରାହୀ ଓ ବେଲପାହାଡର ସଦସ୍ୟ ଚିନ୍ତାମଣି ପଶାୟତ “ଜୀବନ ଗଠନ” ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅମ୍ବାଭୋନା ଏବିଇଓ ମୋହନ ଚରଣ ମହାନ୍ତ ଓ ଏବଂ ପରିବେଶବିତ୍ ସଞ୍ଜୟ ଖମାରୀ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ପରିବେଶ ସଂରକ୍ଷଣ ପ୍ରତି ଧ୍ୟାନ ଦେଇ ଜୀବନର ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ସୂଚନା ଦେଇଥିଲେ।

ଗ୍ରାମବାସୀଙ୍କ ମଧ୍ୟରେ ଶୋଭାରାମ ସାହୁ ଓ ଗୋପାଳ କୃଷ୍ଣ ଭୋଇ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଅତାବିରା ଶାଖାର ସଦସ୍ୟ ସୁଶାନ୍ତ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ହୋତା, ଶ୍ରୀକାନ୍ତ ପଣ୍ଡା, ବାଳମୁକୁନ୍ଦ ସାହୁ, ସୁଶୀଳ ବାଗ, ସ୍ୱରୂପ ସାହୁ, ଆନନ୍ଦ ବିଶ୍ବାଳ, ମୁକେଶ ପଧାନ, କର୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମଚନ୍ଦ୍ର ସାହୁ, ଶିକ୍ଷକ ତପେଶ୍ୱର ପଧାନ,ସି ଆର ସିସି କେଦାର ନାଏକଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ। ସମସ୍ତ ଅତିଥିବୃନ୍ଦ”ଶକ୍ତି ହିଁ ଜୀବନ, ଦୁର୍ବଳତା ହିଁ ମୃତ୍ୟୁ” ଉକ୍ତିକୁ ପାଥେୟ କରି ଜୀବନର ମୂଲ୍ୟବୋଧ ଉପଲବଧି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଥିଲେ। ଏହି ଯୁବ ସମ୍ମେଳନର ସ୍ମୃତି ଉଦ୍ଦେଶ୍ୟରେ ବୀର ସୁରେନ୍ଦ୍ର ସ୍ମାରକୀ ପୀଠ ପରିସରରେ ଏକ ଚାରା ରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!