କେନ୍ଦୁଝର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ବୟସ୍କ ଓ ଦିବ୍ୟାଙ୍ଗ ଔଷଧ ବିତରଣ କାଉଣ୍ଟର ବନ୍ଦ ହେଲା

କେନ୍ଦୁଝର (ଦଶରଥ ବାରିକ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ପଡୋଶୀ ଜିଲ୍ଲା ମାନଙ୍କର ଅନେକ ବ୍ଲକ୍ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକେ ନିର୍ଭର କରନ୍ତି। ତେଣୁ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସବୁବେଳେ ରୋଗୀ ଗହଳି ଲାଗି ରହିଥାଏ। କିନ୍ତୁ ଏହି ଅନୁଷ୍ଠାନର ନୂତନ ବିଲ୍ଡିଂ ହେବା ପରେ ଗୋଟେ ପରେ ଗୋଟେ ସେବା ଅବହେଳିତ ହେବାର ଦେଖାଯାଉଛି। ଏଠାରେ ରୋଗୀ କ୍ୟାବିନ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। କର୍ମଚାରୀ ପ୍ରଶିକ୍ଷଣ ପରେ ମାନସିକ ରୋଗ ବିଭାଗରେ ରୋଗୀଙ୍କ ଲାଗି ଶଯ୍ୟା ନାହିଁ କି ରକ୍ତ ଭଣ୍ଡାରରେ ରକ୍ତ ପୃଥକୀକରଣ ମେସିନ ଖତ ଖାଉଛି। କଥା କଥାକେ ତେଣୁ ରୋଗୀ କଟକ ରେଫର ହୋଇଯାଆନ୍ତି। ଜିଲ୍ଲାର ବଡ଼ ଡାକ୍ତରଖାନାରେ ରୋଗୀଙ୍କ ସମସ୍ୟା ସହ ଅନେକ ସମସ୍ୟା ରହିଛି ଏକ୍ସରେ ଓ ସିଟି ସ୍କାନ ଲାଗି ଡିଜି ମେସିନ କାମ ଦେଉନି।

ଏହି ସବୁ ସମସ୍ୟା ଦେଖି କେନ୍ଦୁଝର ସିଟିଜେନ୍ କମିଟି ପକ୍ଷରୁ ଦିଲୀପ କୁମାର ସାହୁ ଆସି ବୁଲି ଦେଖି ଅଭାବ ଅସୁବିଧାର ଚିଠା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ସମାଧାନ ଲାଗି ଦେଇଥିଲେ। ଏଥିରେ ଭିତର ଔଷଧ ବିତରଣ କାଉଣ୍ଟର ତୁରନ୍ତ ପୁଣି ଖୋଲିବାକୁ ଦାବି କରିବା ସହ ମୁଖ୍ୟ ଔଷଧ ବିତରଣ କେନ୍ଦ୍ରର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ କାଉଣ୍ଟର ସବୁ ବେଳେ ଖୋଲିବାକୁ କୁହାଯାଇଥିଲା। ହେଲେ ବଡ଼ ଦୁଃଖର କଥା ଏବେ ନୂତନ ଧରଣୀଧର ମେଡିକାଲ କଲେଜରେ ରୋଗୀ ଶଯ୍ୟା ବ୍ୟବସ୍ଥା ଚାଲୁ ହେବାପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅବହେଳା କରି ବୟସ୍କ ଓ ଦିବ୍ୟାଙ୍ଗ ଔଷଧ ବିତରଣ କାଉଣ୍ଟର ପୁରା ବନ୍ଦ କରିଦିଆ ଯାଇଛି। ପୂର୍ବରୁ କେବେ ବନ୍ଦ ହୋଇ ନଥିବା ଏହି କାଉଣ୍ଟର ବନ୍ଦ ହେବାରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନେ ଆଜି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ।

ଅନେକ ବାଧ୍ୟ ହୋଇ ସାଧାରଣ ଲୋକଙ୍କ ସହ ଔଷଧ ନେବାକୁ ଠିଆ ହୋଇଥିଲେ। ତେବେ ଏଥିଲାଗି ମେଡିକାଲ କର୍ମଚାରୀଙ୍କୁ ପଚାରିବାରୁ ସେମାନେ ଷ୍ଟାଫ୍ ନାହାନ୍ତି କହିଥିଲେ। ତେବେ ଷ୍ଟାଫ୍ ନିଯୁକ୍ତି ହେଲେ ଏହି କାଉଣ୍ଟର ଖୋଲା ହେବ ବୋଲି କୁହାଯାଇଛି ଯାହାକୁ ସମାଜସେବୀ ଦିଲୀପ କୁମାର ସାହୁ ତୀବ୍ର ପ୍ରତିବାଦ କରିଛନ୍ତି। ଖରାଦିନେ ଏହିପରି ଅବ୍ୟବସ୍ଥା ଲାଗି ସେ ପ୍ରଶାସନକୁ ଦାୟୀ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ତୁରନ୍ତ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହ ଏହି ଔଷଧ ବିତରଣ କାଉଣ୍ଟର ତୁରନ୍ତ ନଖୋଲିଲେ ମେଡିକାଲ ସାମ୍ନାରେ ଧାରଣା ପ୍ରତିବାଦ କରିବେ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!