ଭୁବନେଶ୍ୱର : ଆଷାଢ଼ ପୂର୍ବରୁ ଇସ୍କନ କରିବ ରଥଯାତ୍ରା । ଆସନ୍ତାକାଲି ଇଂଲଣ୍ଡର ଚେମ୍ସଫୋର୍ଡରେ ଆୟୋଜିତ ହେବ ରଥଯାତ୍ରା ।ଇସ୍କନ ଅନୁଗାମୀ ଓ ୟୁଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।ମେ’ ୧୮ ତାରିଖ ଦିନ ୧୨ଟାରୁ ୫ ଟା ପର୍ଯ୍ୟନ୍ତ ରଥଯାତ୍ରା କରାଯିବ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି ।ବାରମ୍ବାର ଇସ୍କନ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କର ଏ ପ୍ରକାର ମନମାନି କରାଯାଉଛି ।

କେବଳ ଅଦିନ ରଥଯାତ୍ରା ନୁହେଁ ତ୍ରୁଟିପୂର୍ଣ୍ଣ ରଥାରୂଢ଼ ମହାପ୍ରଭୁଙ୍କ ଚିତ୍ର ଏହି ପୋଷ୍ଟରେ ରହିଛି । ବଳଭଦ୍ର ତାଳଧ୍ୱଜ ରଥରେ ମହାପ୍ରଭୁ ଜଗନ୍ନାଥ, ନନ୍ଦିଘୋଷରେ ଦେବୀ ସୁଭଦ୍ରା ଓ ଦେବଦଳନ ରଥରେ ବଡ଼ଠାକୁରଙ୍କ ରଥାରୂଢ଼ ଚିତ୍ର ଦର୍ଶାଇ ମର୍ଯ୍ୟାଦା କ୍ଷୁଣ୍ଣ କରିଛି ଏହି ପୋଷ୍ଟର । ବେଲିମେଡୋ ପାର୍କରୁ ସେଣ୍ଟ୍ରାଲ ପାର୍କ ପର୍ଯ୍ୟନ୍ତ ପରେଡ ରହିଥିବା ବେଳେ ଦିନ ୧୨ଟାରୁ ୫ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାରେ ନିଶୁଳ୍କ ପ୍ରସାଦ ପାଇଁ ପୋଷ୍ଟର ମାଧ୍ୟମରେ ବିଜ୍ଞପ୍ତି ରହିଛି । ଆୟୋଜକ ମାନଙ୍କର ଯୋଗାଯୋଗ ନମ୍ବର୍ ମଧ୍ୟ ରହିଛି ।
ଗତବର୍ଷ ମଧ୍ୟ ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନରେ ରଥଯାତ୍ରା କରିବାକୁ ଯୋଜନା କରିଥିଲା ଇସ୍କନ । ସେତେବେଳେ ବି ଏହାକୁ ନେଇ ବିରୋଧ କରାଯାଇଥିଲା । ଖୋଦ ଗଜପତି ମହାରାଜା ଏ ବାବଦରେ ଇସ୍କନକୁ ଚିଠି ଲେଖି ଏଭଳି ରଥଯାତ୍ରା ନକରିବାକୁ ବାରଣ କରିଥିଲେ । ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ଚିଠିରେ ଉଲ୍ଲେଖ କରିଥିଲେ ଗଜପତି ମହାରାଜା । ଅଦିନରେ ରଥଯାତ୍ରା ନେଇ ଇସ୍କନ ସହ ଅନେକଥର ଆଲୋଚନା ହୋଇଛି । ବିଧି ଓ ପରମ୍ପରା ମୁତାବକ ରଥଯାତ୍ରା ପାଇଁ ସଂକଳ୍ପ ବି ହୋଇଛି । ଏହାପରେ ଏବେ ପୁଣି ଥରେ ଇଂଲଣ୍ଡର ଚେମ୍ସଫୋର୍ଡରେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ ।
