ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ମୁଖ୍ୟ ବଜାର ଏବଂ ଦୈନିକ ବଜାର ପ୍ରତି ମୁହଁ ମୋଡୁଛନ୍ତି ଗ୍ରାହକ। ରାୟଗଡ଼ ସହର ମୁଖ୍ୟ ବଜାର କହିଲେ ଶାରଳା ଛକ ଠାରୁ ଗୁଣ୍ଡିଚା ମନ୍ଦିର ଛକ ପର୍ୟ୍ୟନ୍ତ ବୁଝାଇ ଥାଏ। ଦୈନିକ ବଜାରକୁ ଯିବାକୁ ହେଲେ ମୁଖ୍ୟ ବଜାର ଦେଇ ଯିବାକୁ ହୋଇଥାଏ। କିନ୍ତୁ, ମୁଖ୍ୟ ବଜାର ଓ ଦୈନିକ ବଜାରକୁ ଗ୍ରାହକ ଯିବାପାଇଁ ରାସ୍ତା ଥାଇ ନ ଥିବା ସହ ସମାନ। ଗୋଟିଏ ପଟେ ରାସ୍ତାର ଉଭୟ ପାର୍ଶ୍ବରେ ସ୍ଥାୟୀ ଦୋକାନୀ ମାନେ ନିଜ ନିଜର ପସରା ମେଲାଇ ରାସ୍ତା ଉପରେ ରଖୁଥିବା ବେଳେ, ରାସ୍ତା ମଝିରେ ଫଳ ଦୋକାନୀ, ପରିବା ବ୍ୟବସାୟୀ, ସୋଡା ଗାଡ଼ି, ଚାଟ୍, ଆଇସକ୍ରିମ ବେପାରୀ, ଫୁଲ ବେପାରୀ ମାନେ ନିଜ ନିଜର ଠେଲା ଓ ଅସ୍ଥାୟୀ କ୍ୟାବିନ ଗୁଡ଼ିକୁ ରାସ୍ତା ମଝିରେ ରଖି ଦେଉଛନ୍ତି।

ଅନ୍ୟ କେଉଁଠି ରଖିଲେ ପୁଲିସ୍ ଫାଇନ୍ କାଟୁଛନ୍ତି। ଜୋର୍ ଜବରଦସ୍ତି ଯଦି ପାର୍କିଂ ସ୍ଥାନରେ ବାଇକ୍ ରଖି ଦିଅନ୍ତି ଗ୍ରାହକ ତେବେ ଉଠା ଦୋକାନୀ ମାନେ ମାରପିଟ୍ ଓ ଗାଳି ଗୁଲଜ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି। ଏପରିକି ଓଭର ବ୍ରିଜ ତଳେ ରାସ୍ତା ଉପରେ ବସି ଯାଇଛନ୍ତି ଉଠା ଦୋକାନୀ। ଗୋଟିଏ ପଟେ ବଜାର ରୁ ତହସିଲ ଅଫିସ ଓ ବସଷ୍ଟାଣ୍ଡ କୁ ଯିବାକୁ ପିଚୁ ରାସ୍ତାଟିଏ ପୌର ପରିଷଦ ପକ୍ଷରୁ ତିଆରି କରଯାଇଛି। ସେହି ରାସ୍ତାକୂ ମଧ୍ୟ ଅବରୋଧ କରି ବସିଛନ୍ତି ଉଠା ଦୋକାନୀ। ବଜାରକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଯାତାୟତରେ ନାହିଁ ନ ଅସୁବିଧାର ସମ୍ମୁଖିନ ହେଉଥିବା ସ୍ଥଳେ ନିରବ ଦ୍ରଷ୍ଟା ସାଜିଛନ୍ତି ସ୍ଥାନୀୟ ପୁଲିସ୍ ଏବଂ ପୌର ପରିଷଦ। ଏହି ମୁଖ୍ୟ ବଜାରରେ ରହିଛି ଜିଲ୍ଲା କୋର୍ଟ। ସାରଳା ଛକ ଦେଇ ବିଭିନ୍ନ ସମୟରେ କୋର୍ଟ ଭ୍ୟାନ କଏଦୀ ମାନଙ୍କୁ ନେଇ କୋର୍ଟରେ ହାଜର କରିବା ପାଇଁ ଆଣୁଥିବା ସମୟରେ ଏହି ଉଠା ଦୋକାନୀ ମାନଙ୍କ ଯୋଗୁଁ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି।
ଅନ୍ୟପଟେ ଜରୁରୀ କାଳୀନ ପରିସ୍ଥିତିରେ ଏମ୍ବୁଲାନ୍ସ କିମ୍ୱା ଦମକଳ ଗାଡି ଆସିବାକୁ ମଧ୍ୟ ବାଟ ମିଳିବା କଷ୍ଟ ହୁଏ ବୋଲି କହିଛନ୍ତି ବଜାରକୁ ଆସୁଥିବା ଗ୍ରାହକ। ଦୈନିକ ବଜାର ଓ ମୁଖ୍ୟ ବଜାରରୁ ଲୋକେ ମୁହଁ ଫେରାଉଥିବା ବେଳେ, ଉଠା ଦୋକାନୀ ଙ୍କୁ ଦୋଷ ଦେଉଛନ୍ତି ସ୍ଥାୟୀ ଦୋକାନୀ। କାରଣ କିଛି ବର୍ଷ ପୂର୍ବେ ରାସ୍ତା କଡରେ ପସରା ମେଲାଇ ବସୁଥିଲେ, ବର୍ତ୍ତମାନ୍ ପାର୍କିଂ ସ୍ଥାନରେ ବସି ଯାଉଛନ୍ତି ଯାହାଦ୍ବାରା ବାଇକ୍ ପାଇଁ ସ୍ଥାନ ଟିକେ ମିଳୁନି। ଧିରେ ଧିରେ ବଡ଼ ବଡ଼ ବ୍ୟବସାୟୀ ଓ ଦୋକାନ ଗୁଡ଼ିକ ନୁଆ ରାୟଗଡ଼ କୂ ସ୍ଥାନାନ୍ତର ହୋଇଯାଇଥିବା ବେଳେ, ଆଗାମୀ ଦିନରେ ମୁଖ୍ୟ ବଜାର ଓ ଦୈନିକ ବଜାରକୁ ଲୋକ ଆସିବା ପାଇଁ ମୁହଁ ମୋଡ଼ିବେ ବୋଲି ସ୍ଥାନୀୟ ବ୍ୟବସାୟୀ ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି।