ସାବିତ୍ରୀ ଓଷାରେ ଫଳବଜାର ସହ ପୂଜାସାମଗ୍ରୀ ଦୋକାନରେ ଖଚାଖଚ୍ ଭିଡ଼

ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ) : ଆଜି ସବିତ୍ରୀ ଅମାବାସ୍ୟା, ଏହି ଦିନରେ ସ୍ତ୍ରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳକାମନା ପାଇଁ ସାବିତ୍ରୀଙ୍କ ଉପବାସ । ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଫଳମୂଳରେ ମା’ଙ୍କର ପୂଜା କରାଯିବ । ସତ୍ୟବାନ୍‌ଙ୍କ ଠାରୁ ସାବିତ୍ରୀ ସମସ୍ତେ ମାର୍କେଟ ମୁହାଁ । ଏଥିନେଇ ଫଳ, ମନୋହରି, ଲୁଗାଦୋକାନ, ପୂଜାସାମଗ୍ରୀ ଦୋକାନ ଗୁଡ଼ିକରେ ଖୋଚାଖୋଚ୍ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । କିଏ ନିଜ ପାଇଁ କିଣୁଛି ତ ଆଉ କିଏ ଝିଅ ଝିଆଣୀଙ୍କ ପାଇଁ କିଣିବାରେ ଲାଗିପଡ଼ିଛନ୍ତି, ଯେଉଁଥି ପାଇଁ ଆଜି ବଜାର ସରଗରମ ରହିଛି । ସ୍ତ୍ରୀଙ୍କ ମନ ଯେପରି ଟିକେ ଊଣା ନହୁଏ ସେଥିପାଇଁ ସ୍ୱାମୀମାନେ ବିଶେଷ ଧ୍ୟାନ ଦେଉଛନ୍ତି । ସେମାନଙ୍କର ମନପସନ୍ଦର ଶାଢ଼ୀ ଓ କସମେଟିକ୍ ସାମଗ୍ରୀ କିଣୁ ଆଣୁଛନ୍ତି । ତାଙ୍କ ସାଙ୍ଗକୁ ଫଳ ଏବଂ ପୂଜାସାମଗ୍ରୀ ସବୁ କିଣି ଆଗୁଆ ଆଣି ଘରେ ରଖୁଛନ୍ତି ।

ସାବିତ୍ରୀ ପୂଜା ଆଖି ଆଗରେ ରଖି ଫଳ ବେପାରୀଏ ବେଶ ଭଲ ଦି’ ପଇସା ରୋଜାଗାର କରିବାକୁ ପସରା ଖୋଲାକରି ରଖିଛନ୍ତି । ତାଳଚେର ବଜାରର ଫଳ ସମାଗ୍ରୀ ଦର ଦେଖିଲେ ନଡ଼ିଆ ୨୫ରୁ ୩୦, କଦଳୀ ଡ଼୍ରଜନ ୫୦ରୁ ୮୦, ତରଭୂଜ କେଜି ୪୦, ସେଓ କେଜି ୨୨୦ରୁ ୩୦୦, କମଳା କେଜି ପ୍ରତି ୨୦୦, ଅଙ୍ଗୁୁର କେଜି ୧୫୦, ଡ଼ାଳିମ୍ବ କେଜି ୨୦୦, ସପୁରୀ ଗୋଟା ୪୦ରୁ ୬୦ପଣସ ଗୋଟା ୫୦ରୁ ଏକଶହ, ଲିଚୁ କେଜି ୨୦୦, ବାଇଗଣପଲ୍ଲୀ ଆମ୍ବ କେଜି ୮୦ ଓ ଦେଶୀଆମ୍ବ କେଜି ୩୦, ନାସପାତି ୨୦୦, ପିଜୁଳି ୧୦୦, ସେପଟା ଫଳର ଦାମ କେଜି ପ୍ରତି ୧୫୦, ଖଜୁରୀ ପେନ୍ଥା ୩୦ ଟଙ୍କା ରହିଛି ।

ତେବେ ଏହି ଫଳ ଦୋକାନ ଗୁଡ଼ିକ ଘୋଡ଼ାଶାଳ, ବଡ଼ବଜାର, ଫାଷ୍ଟଗେଟ୍‌, ବସଷ୍ଟାଣ୍ଡ, ବାଇପାସ୍ ପୋଲ, ହାଟତୋଟା ରୋଡ଼୍‌, ଲିଙ୍ଗରାଜ ରୋଡ଼, ଶର୍ମାଛକ, ହାଣ୍ଡିଧୂଆଁ ରେଲୱେ ଗେଟ୍‌, ହାଣ୍ଡିଧୂଆଁ ଛକ ଇତ୍ୟାଦି ସ୍ଥାନ ମାନଙ୍କ ବ୍ୟବସାୟୀମାନେ ନିଜର ପସରା ମେଳାଇ ବସିଥିବା ଦେଖିବାକୁ ମିଳିଛି । ପାଗ ଅନୁକୂଳ ରହିଲେ ବ୍ୟବସାୟ ଭଲ ହେବ ବୋଲି ବ୍ୟବସାୟୀମାନେ ଅଶାବାନ୍ଧି ବସିଛନ୍ତି । ଲୋକଙ୍କ ଚାହିଦା ଦୃଷ୍ଟିରୁ ୧୫ରୁ ୨୦ କିସମର ଫଳକୁ ବ୍ୟବସାୟ ପାଇ ରଖାଯାଇଛି । ଦରଦାମ ଉଚ୍ଚଥିଲେ ହେଁ ସାବିତ୍ରୀ ବ୍ରତ ପାଇଁ ଗୃହିଣୀମାନେ ସଙ୍କୋଚ ନକରି କିଣୁଥିବାର ଦେଖାଯାଉଛି । ସେହିପରି ଶାଢ଼ୀ ଓ ବିଭିନ୍ନ ମନୋହରି ଦୋକାନରେ କିଣାବିକା ଚାଲିଛି । ବିଭିନ୍ନ ସ୍ଥାନରେ ଶଙ୍ଖା, ସିନ୍ଦୁର, ସାଲୁକନା, ନାଲି ଓ କଳାଚୂଡ଼ି, ବ୍ରତ, ତୁଳା, କଳାମାଳି, କାଠପାନିଆ, ପାଟଫୁଲି ଆଦି ପୂଜାସାମଗ୍ରୀ ଆଦି ପ୍ୟାକେଟ୍ ଦରିଆରେ ବିକ୍ରି ହେଉଛି ।

Leave a Reply

Your email address will not be published. Required fields are marked *

error: Content is protected !!