ସାଇକେଲ ସହ ଶାଳ କାଠ ଜବତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ କତକଲା ଓ ଭାମଶ୍ଯାଳି କେନାଲ ରାସ୍ତାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସାଇଜ୍ କାଠ ବୋଝେଇ ଏକ ସାଇକେଲକୁ ଜବତ କରାଯାଇଥିବା ଜଣାଯାଇଛି। ଜବତ ଚାରି ଖଣ୍ଡ ସାଇଜ କାଠର ପରିମାଣ ୩.୪୪ ଘନ ଫୁଟ ହୋଇଥିବା ବେଳେ ଏ ନେଇ ୟୁଡି କେସ୍ ନଂ ୨/୨୫-୨୬ରେ ଏକ ମାମଲା ରୁଜୁ ହୋଇଥିବା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଆଜି ସକାଳ ସାଢେ ପାଞ୍ଚଟା ସମୟରେ ଜନୈକ ବ୍ଯକ୍ତି ସାଇକେଲରେ ଚାରି ଖଣ୍ଡ ସାଇଜ୍ ଶାଳ କାଠ ଧରି ଭାମଶ୍ୟାଳି ପଟୁ କେନାଲ ରାସ୍ତାରେ କତକଲା ଛକ ଆଡକୁ ଆସୁଥିବା ବେଳେ କୋଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।

ପଛପଟୁ ଆସୁଥିବା ବନ ବିଭାଗର ଗାଡିକୁ ଦେଖି ଚୋରା କାଠ ବେପାରୀ ଜଣକ ସାଇକେଲ ସହ କାଠକୁ ଛାଡି କାଦ ପଚପଚ ବିଲମାଳ ଦେଇ ବାଘୁଆ ନଦୀ ଆଡକୁ ଦୌଡି ଯାଇ ଗାଏବ୍ ହୋଇଯାଇଥିଲା। ଫଳରେ ବନ ବିଭାଗ ସେହି ସାଇଜ୍ ଶାଳ କାଠ ବୋଝେଇ ସାଇକେଲଟିକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲା। ଉକ୍ତ ଚଢାଉ କାର୍ଯ୍ୟରେ ବନପାଳ କ୍ଷୀରୋଦ କୁମାର ଗୌଡ ଓ ବନରକ୍ଷୀ ଯଶସ୍ମିନୀ ସାହୁ ସାମିଲ୍ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!