କେନ୍ଦୁଝର/ଚମ୍ପୁଆ ( ପ୍ରଦୀପ ମହାନ୍ତ ) : ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଚମ୍ପୁଆ ବନ ବିଭାଗ ତରଫରୁ ଆଜି ଏକ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଚମ୍ପୁଆ ବନ ବିଭାଗର ଆନୁକୁଲ୍ୟ ରେ ଏହି ଚାରା ବିତରଣ କେନ୍ଦ୍ର ଖୋଲାଯାଇଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏହି ଚାରା ବିତରଣ କେନ୍ଦ୍ର ରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଙ୍କୁ କେବଳ ଏକ ଟଙ୍କା ମୂଲ୍ୟରେ ବିଭିନ୍ନ ଗଛର ଚାରା ଯୋଗାଇ ଦେବା ଯୋଜନା ରହିଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଫିତା କାଟି ଚାରା ବିତରଣ କେନ୍ଦ୍ର ର ଉଦଘାଟନ କରିଥିଲେ । ପରିବେଶ ର ସୁରକ୍ଷା ପାଇଁ ସମସ୍ତ ଙ୍କୁ ବୃକ୍ଷରୋପଣ କରିବା ପାଇଁ ସେ ନିବଦନ କରିଥଲେ। ଏହି କେନ୍ଦ୍ର ରେ ଆମ୍ବ, ପଣସ, ପିଜୁଳି, ଅଶୋକ, ବଉଳ, ବେଲ, ହରିଡା, ବାହାଡ଼ା, ବର, ଅଶ୍ଵସ୍ଥ ଆଦି ଗଛ ର ଚାରା ଉପଲବ୍ଧ ରହିଛି । କାର୍ଯ୍ୟକ୍ରମ ରେ ରେଞ୍ଜର ଅକ୍ଷୟ ଛତ୍ରୀଆ, ବନପାଳ ଜ୍ୟୋତିରୂପା ପାଣି , ପ୍ରକୃତିପ୍ରେମୀ ଧରଣୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଟି କୁ ବନରକ୍ଷୀ ନିରୂପମା ମହାକୁଡ଼ ପରିଚାଳନା କରିଥିଲେ। ଚମ୍ପୁଆ ବନ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।