କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ସ୍ଥିତ ଟାଟା ଡାକ୍ତର ଖାନା ରେ ଗୁରୁବାର ରାତ୍ରି ପ୍ରାୟ ୩ ଟା ସମୟରେ ଏକ ଅସ୍ୱାଭାବିକ ଘଟଣା ଘଟି ଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ଡାକ୍ତରଖାନା ରେ ପ୍ରାୟ ଆଠଦିନ ହେବ ରହି ଚିକିତ୍ସିତ ହେଉ ଥିବା ଜଣେ ମହିଳା ରୋଗୀ ନିଜ ଗଳା କାଟି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ମିଳିଥିବା ସୂଚନା ଅନୁଯାୟୀ ଯୋଡ଼ା ପୌରପାଳିକା ଅନ୍ତର୍ଗତ ସାତ ନମ୍ବର ୱାର୍ଡ ର ବାସିନ୍ଦା ବାଲମା ମୁଣ୍ଡା (୪୮) ବର୍ଷ କୌଣସି କାରଣ ରୁ ତାଙ୍କ ଗୋଡ଼ରେ ଏକ କାଚ ପଶିଯିବା ପରେ ତାହା ଚିକିତ୍ସା ଅଭାବରୁ ଧୀରେ ଧୀରେ ଖରାପ ହୋଇ ଏକଥନୀୟ କଷ୍ଟ ଦେବା ଫଳରେ ଆଜକୁ ଆଠ ଦିନ ହେବ ଡାକ୍ତରଖାନା ରେ ରହି ଚିକିତ୍ସିତ ହେଉଥିଲେ l
ତେବେ ଗତରାତିରେ ତାଙ୍କ ନିଜ ଝିଅ ତାଙ୍କ ନିକଟ ରେ ଥିବା ବେଳେ ପ୍ରାୟ ରାତି ଦୁଇଟା ସମୟରେ ସେ ଶୋଇ ପଡ଼ିଥିଲେ l ରାତି ୪ ଟା ସମୟରେ ନିଦ ଭାଙ୍ଗିବାରୁ ଦେଖନ୍ତି ଯେ ମା ବାଲମାଙ୍କ ରକ୍ତ ଜୁଡୁବୁଡୁ ଦେହ ପଡିଛି ଏବଂ ବେକ ରେ ଏକ କଟା ଦାଗ ରହିଛି l ଏହାକୁ ନେଇ ସେ ଘର ଲୋକଙ୍କୁ ଖବର କରିବା ସହ ଡାକ୍ତରଖାନା କତୃପକ୍ଷଙ୍କୁ ଖବର ଦେଇଥିଲେ l ଘର ଲୋକ ଖବର ପାଇ ଡାକ୍ତରଖାନା ରୁ ବାଲମା ଙ୍କ ମୃତ ଦେହ କୁ ଘରକୁ ନେଇ ଆସିଥିଲେ l ତେବେ ଏହା ଏକ ଅପମୃତ୍ୟ ମାମଲା ହୋଇଥିବା ବେଳେ ଏଥିରେ ଡାକ୍ତରଖାନା କତୃପକ୍ଷ କାହିଁକି ପୋଲିସକୁ ଖବର ନ କରି ମୃତ ଦେହକୁ ଘର ଲୋକଙ୍କୁ ହସ୍ତାନ୍ତର କରାଗଲା ବୋଲି ସକାଳ ସମୟରେ ଡାକ୍ତରଖାନାରେ ଏକ ସନ୍ଦେହଜନକ ପରିସ୍ଥିତି ଉପୁଜିବା ସହ ଉତ୍ତେଜନା ପୁର୍ଣ ପରିସ୍ଥିତି ଦେଖା ଦେଇଥିଲା l
ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।ଘଟଣା ସ୍ଥଳରେ ଯୋଡ଼ା ଆଇ. ଆଇ. ସି ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ ସେହିପରି ପରିସ୍ଥିତି ରେ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ପୁଙ୍ଖାନପୁଙ୍ଖ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚମ୍ପୁଆ ଉପ ଜିଲ୍ଲାପାଳ କହିଛନ୍ତି । କେଉଁ ପରିସ୍ଥିତିରେ ପୋଲିସକୁ ନ ଜଣାଇ ମୃତଦେହ ପଠାଗଲା ସେନେଇ ମଧ୍ୟ ତଦନ୍ତ କରାଯିବ ବୋଲି ବଡ଼ବିଲ ଏସଡିପିଓ କହିଛନ୍ତି । ଘଟଣାର ଅନୁଧ୍ୟାନ କରିବା ସହ ଯୋଡ଼ା ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଜାରି ରଖିଛି l
