ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ବ୍ରୋଞ୍ଜ

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) : ଚୀନରେ ଆୟୋଜିତ ଦ୍ୱାଦଶ ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିବା ସହ ୪୮ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତି ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାରାଣୀ ମହାନ୍ତ ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ପଦକ ଜିତିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜ୍ୟ କ୍ରୀଡ଼ା ବିଭାଗ, କେନ୍ଦୁଝର ଜିଲ୍ଲା ଉସୁ ଆସୋସିଏସନ ଏବଂ ଉସୁ ଆସୋସିଏସନ ଅଫ୍ ଓଡ଼ିଶା ଶ୍ୱେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପାରିପାର୍ଶ୍ୱିକ ଅଞ୍ଚଳରେ କୃଷି, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଫାଉଣ୍ଡେସନ କାର୍ଯ୍ୟ କରିଆସୁଛି। ସ୍ଥାନୀୟ ଅଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କ ବିକାଶ ପାଇଁ ଫାଉଣ୍ଡେସନର ପ୍ରୋତ୍ସାହନରେ ଏହି ସ୍ପୋର୍ଟସ ହଷ୍ଟେଲ ପ୍ରତିଷ୍ଠିତ ହୋଇଛି।

ଏହି ହଷ୍ଟେଲରେ ଶ୍ୱେତାରାଣୀଙ୍କ ସମେତ, ପ୍ରେମ, ରାଜକୁମାର, ବବଲୁ, ମଞ୍ଜୁ ମୁଣ୍ଡା ମଧ୍ୟ ପ୍ରଶିକ୍ଷିତ ହୋଇ ବ୍ରାଜିଲ, ବ୍ରୁନେଇ ଓ ମସ୍କୋରେ ଆୟୋଜିତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରୋପ୍ୟ ଓ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଉଣ୍ଡେସନ ପକ୍ଷରୁ ଦେଶର ୩୦ ହଜାର ଗ୍ରାମୀଣ ଓ ଆଦିବାସୀ ପ୍ରତିଭାଙ୍କୁ ସାମରିକ କଳା, ମହିଳା ଓ ପୁରୁଷ ହକି, ମହିଳା ଓ ପୁରୁଷ ଫୁଟବଲ, କବାଡ଼ି, ଖୋ-ଖୋ, ତୀରନ୍ଦାଜୀ ଓ କ୍ରିକେଟରେ ଭବିଷ୍ୟତ ନିର୍ମାଣ ପାଇଁ ପ୍ରୋତ୍ସାହିତ କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!