ଅନୁଗୋଳ (ଅଜିତ କୁମାର ଭୋଇ): ନେତାମନ୍ତ୍ରୀ ସମାଜସେବାରେ ନିୟୋଜିତ ହୋଇ ୫ବର୍ଷ ବିତେଇବା ପରେ ସେମାନେ ଲକ୍ଷାଧିକ ଟଙ୍କା ଦରମା ସହିତ ମୋଟାଅଙ୍କର ପେନସନ୍ ପାଇ ଆସୁଥିବା ବେଳେ ଶିକ୍ଷକ, ଶିକ୍ଷୟତ୍ରୀ ଦୀର୍ଘବର୍ଷ ବିଦ୍ୟାଳୟରେ ପାଠପଢ଼ାଇବା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ପୋଷାକ ବିତରଣ, ଔଷଧ ବିତରଣ, ବିଦ୍ୟାଳୟର ସ୍ୱଚ୍ଛତା, ଓଜନମାପ ଓ ବିଦ୍ୟାଳୟର ବିଭିନ୍ନ ଚାପକୁ ମୁଣ୍ଡରେ ରଖି କାର୍ଯ୍ୟ ସମ୍ପାଦନା କରୁଥିଲେ ମଧ୍ୟ ବୟସର ଅପରାହ୍ଣରେ ପେନସନ ଗଣ୍ଡେ ମିଳୁନଥିବାରୁ ଶିକ୍ଷକ, ଶିକ୍ଷୟତ୍ରୀମାନେ ଦୁଃଖରେ କାଳତିପାତ କରୁଛନ୍ତି ।
ଏପରିକି, ଅସବର ପରେ ନୂତନ ପେନସନ ସ୍କିମ ସରକାର ଲାଗୁ କରିଥିବାରୁ କିଏ ୨ହଜାର ପାଉଥିବା ବେଳେ ଆଉ କିଏ ୩ହଜାର ପେନସନରେ ସୀମିତ ରହୁଛନ୍ତି । ଏହି ସ୍ୱଳ୍ପ ପେନସନରେ କିପରି ଚଳିବେ ଓ ପରିବାର ପୋଷିବେ ଏଥିନେଇ ଶିକ୍ଷକ ମହଲରେ ଦୁଃଖ ପ୍ରକାଶ ପାଇବା ସହିତ ସାଧାରଣରେ ଏହାକୁ ନାପସନ୍ଦ କରାଯାଇଛି । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଶିକ୍ଷକ, ଶିକ୍ଷୟତ୍ରୀ ମହଲରେ । ପ୍ରକାଶ ଥାଉକି, ଗୋଲେଖ ବିହାରୀ ବେହେରା ଦୀର୍ଘ ୨୨ବର୍ଷ ଶିକ୍ଷକତା କରି ଅବସର ଗ୍ରହଣ କରିବାପରେ ମାତ୍ର ୨୨ଶହ ୯୮ଟଙ୍କା ପେନସନ୍ ପାଉଛନ୍ତି ।
ବର୍ତମାନ ମହଙ୍ଗା ଦୁନିଆରେ ୬୦ବର୍ଷ ବିତିଯାଇଥିଲେ ମଧ୍ୟ ନିଜର ଔଷଧପତ୍ର, ପରିବାର ଚଳାଇବା ପାଇଁ ଅଭାବ ଅନାଟନରେ ଜୀବନ ଅତିବାହିତ କରୁଛନ୍ତି । ତେଣୁ କେବଳ ଶିକ୍ଷକ, ଶିକ୍ଷୟତ୍ରୀ କ୍ଷେତ୍ରରେ ଏହା ସୀମିତ ନୁହେଁ, କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ଦେଶର ଆର୍ଥିକ ସ୍ଥିତ ସ୍ୱଚ୍ଛଳ ନଥିବା ଦର୍ଶାଇ ପୁରୁଣା ପେନସନକୁ ପ୍ରତ୍ୟାହାର କରିବା ଫଳରେ ପେନସନ ଦାବି ଯୋର ଧରିବାରୁ ସରକାର ନୂତନ ପେନସନ୍ ସ୍କିମ ଲାଗୁ କରିଥିବାରୁ ଆଜି କର୍ମଚାରୀମାନେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ତେଣୁ ଏହାକୁ ରାଜ୍ୟ ସରକାର ବିଚରାକୁ ନେଇ ପୁରୁଣା ପେନସନ ନୀତିକୁ ଆପଣାଇବା ପାଇଁ ସବୁ ମହଲରେ ଦାବି ହେଉଛି ।