ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ):ତାଳଚେରର ବିଶିଷ୍ଟ ଗବେଷକ ବିଭୂତି ଭୂଷଣ ସାହୁ (୬୬ ବର୍ଷ)ଙ୍କର ଆଜି ମଧ୍ୟ।।ହ୍ନ ୧ଘଟିକା ସମୟରେ ପରଲୋକ ହୋଇଯାଇଛି । କିଛିଦିନ ଧରି ସେ ଅସୁସ୍ଥ ଥାଇ ନିଜ ବାସଗୃହରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କ ଦେହ ଅତ୍ୟଧିକ ଖରାପ ହେବାରୁ ଅନୁଗୋଳସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଏକମାତ୍ର ପୁତ୍ର, କନ୍ୟାଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଜଣେ ସରଳ, କର୍ମଠ, ମିଷ୍ଟଭାଷୀ ବ୍ୟକ୍ତି ଭାବରେ ସେ ତାଳଚେର ଉପଖଣ୍ଡରେ ପରିଚିତ ଥିଲେ । ଜଣେ ଗବେଷକ ଭାବରେ ତାଳଚେର କୋଇଲା ଖଣିର ଇତିହାସ ସହ ତାଳଚେର ନିକଟସ୍ଥ ଝାଡ଼ିଅମ୍ବା ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ବୌଦ୍ଧକୀର୍ତି ଆବିଷ୍କାର କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଏଥିନିମନ୍ତେ ତାଙ୍କୁ ତାଳଚେର କଳା, ସାହିତ୍ୟ, ସଂସ୍କୃତି ପରିଷଦ ପକ୍ଷରୁ ବିଶିଷ୍ଟ ଗବେଷକ ସମ୍ମାନ ଓ ତାଳଚେର ପୁସ୍ତକ ମେଳା କମିଟି ପକ୍ଷରୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେ ତାଳଚେର ଗଡ଼ଜାତ ଆନ୍ଦୋଳନ ଉପରେ ଆଧାରିତ ଗବେଷଣାତ୍ମକ ପୁସ୍ତକ ତାଳଚେର ଗଣସଂଗ୍ରାମ ରଚନା କରିଥିବା ବେଳେ ସନ୍ଥକବି ଭୀମଭୋଇଙ୍କ ଜୀବନୀ ଆଧାରିତ ବିଶିଷ୍ଟ ହିନ୍ଦୀ ଲେଖକ ଦୀନେଶ ମାଲିଙ୍କ ରଚିତ ପୁସ୍ତକ ପଦ୍ମଲୋଚନର ଓଡ଼ିଆ ଅନୁବାଦ କରିଥିଲେ । ମା ହିଙ୍ଗୁଳାଙ୍କ ଉପରେ ଆଧାରିତ ଆଧ୍ୟାତ୍ମିକ ପତ୍ରିକା ମା ହିଙ୍ଗୁଳାର ସେ ସମ୍ପାଦକ ଦାୟିତ୍ୱ ତୁଲାଉଥିବା ବେଳେ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ଆମ କୁନାକୁନିର ଉପଦେଷ୍ଠା ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ । ଏତଦ୍ବ୍ୟତୀତ ସେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର, ଉତ୍କଳ ସମ୍ମିଳନୀ, ସାହିତ୍ୟ ଅନୁଷ୍ଠାନ ନବୋଦୟ ସାହିତ୍ୟର ପରିଭାଷା, ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ସମେତ ବିଭିନ୍ନ ଅନୁଷ୍ଠାନ ସହ ଅଙ୍ଗାଙ୍ଗୀ ଭାବରେ ଜଡିତ ଥିଲେ ।
ତାଙ୍କ ବିୟୋଗରେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା, ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଶିକ୍ଷାବିତ୍ ଜଗନ୍ ମୋହନ ଗଡ଼ନାୟକ, ମା ହିଙ୍ଗୁଳା ପାଠାଗାରର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ, ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘରର ସଂପାଦକ କବି ତ୍ରିନାଥ ସାହୁ, ବିବେକାନନ୍ଦ ଲୋକ ସଂସଦ ଆନୁଗୋଳ ଶାଖା ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ ରଥ, ସଂପାଦକ କୃଷ୍ଣଚନ୍ଦ୍ର ସାହୁ, ଉତ୍କଳ ସମ୍ମିଳନୀ ଅନୁଗୋଳ ଶାଖାର ସଭାପତି ଶିକ୍ଷାବିତ୍ ବିଶ୍ୱରଞ୍ଜନ ପ୍ରଧାନ, ସଂପାଦକ ଧନେଶ୍ୱର ସାହୁ, କବୟତ୍ରୀ ଅନୀତା ପାଣି, ନବୋଦୟ ସାହିତ୍ୟର ପରିଭାଷା ଅନୁଷ୍ଠାନର ସଂପାଦିକା ଦିପ୍ତୀରାଣୀ ସିଂଙ୍କ ସମେତ ଆଖପାଖ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ସହାନୁଭୂତି ଜଣାଇଥିଲେ । ଗବେଷକ ଶ୍ରୀ ସାହୁଙ୍କ ପୈତୃକ ଗ୍ରାମ ବଲଣ୍ଡାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।
