କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ): ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସମ୍ମୁଖରେ ଥିବା ବସ ଷ୍ଟପ୍ (ବିଶ୍ରାମ କକ୍ଷ) ଅବହେଳିତ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଯାହାଫଳରେ ଛାତ୍ର ଛାତ୍ରୀ ମାନେ ବସରେ ଯାତାୟତ ପାଇଁ ବିପଦ ପୂର୍ଣ୍ଣ ଅବସ୍ଥାରେ ରାସ୍ତାରେ ଦୁଇ ପାର୍ଶ୍ଵରେ ବର୍ଷାରେ ଭିଜି ଠିଆହୋଇ ରହୁଛନ୍ତି। ଏପରିକି ଏହି ରାସ୍ତାରେ ଦୁଇ ଚକିଆ ଯାନରୁ ଲୁହା ପଥର ଭାରୀଯାନ, ଯାତ୍ରୀବାହି ବସ୍ ଯିବା ଆସିବା କରୁଅଛି ତେଣୁ ରାସ୍ତାଟି ଗହଳି ଲାଗିରହୁଛି ଏ ଭଳି ପରିସ୍ଥିତିରେ କେତେବେଳେ ଯେ ଦୁର୍ଘଟଣା ନଘଟିବ ଏ ବିଷୟରେ ଜନ ସାଧାରଣରେ ଆଲୋଚନା ହେଉଛି।
ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ଦୂର ଦୁରାନ୍ତରୁ ଯାତାୟାତ କରିଥାନ୍ତି। ଦୁଃଖ ପରିତାପର ବିଷୟ ଯେ,ଛାତ୍ର ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବସଷ୍ଟପ କକ୍ଷଟି ରକ୍ଷଣା ବେକ୍ଷଣ ଅଭାବରୁ ତାହା ଜରାଜୀର୍ଣ୍ଣ ଅବସ୍ଥାର ରହିଅଛି। ସାମାନ୍ୟ ବର୍ଷା ହେଲେ ଛାତ୍ର ଛାତ୍ରୀମାନେ ଗଛ ତଳେ ରାସ୍ତାର ପାର୍ଶ୍ଵରେ ଓଦା ହୋଇ ବସକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି। ସୂଚନାରୁ ଆଜକୁ ପ୍ରାୟ ସାତ ବର୍ଷ ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୌଣସି କମ୍ପାନୀ ଦ୍ଵାରା ବସ୍ ରେ ଯାତାୟତ ପାଇଁ ଏହି ବିଶ୍ରାମ କକ୍ଷ ନିର୍ମିତ ହୋଇଥିଲା।
ଏବେ ବସଷ୍ଟପ (ବିଶ୍ରାମ କକ୍ଷ)ଛାତରୁ ପାଣି ଗଳୁ ଥିବା ଯୋଗୁ ବିଶ୍ରାମ ନେବା ଅନୁପଯୋଗୀ ଏପରିକି ଏହି କକ୍ଷ ଚାରି ପାଖରେ ଅନା ବନା ଗଛ ଲତା ବଢି କୂତ୍ରିମ ଜଙ୍ଗଲ ସୃଷ୍ଟି ହୋଇରହିଛି। ଚଳିତ ବର୍ଷ ପ୍ରବଳ ବର୍ଷା ଯୋଗୁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଓଦା ହୋଇ ଯାତାୟାତ ପାଇଁ ବସକୁ ଅପେକ୍ଷା କରିବା କେତେ ଦୂର ଯଥାର୍ଥ ତାହା ଜନ ସାଧାରଣରେ ଆଲୋଚନା ଜୋର୍ ଧରିଛି।ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।