ହସ୍ତଶିଳ୍ପ ବଜାରରେ ବିପ୍ଳବ ଆଣିବ କେନ୍ଦୁଝର ଚାନ୍ଦୁଆ , ସୃଷ୍ଟିହେବେ ଲକ୍ଷପତି ଦିଦି

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ):ଓଡିଶା ସରକାରଙ୍କ ହସ୍ତଶିଳ୍ପ ,ବୟନ ଓ ହସ୍ତତନ୍ତ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦୁଝର ସ୍ଥିତ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଚାନ୍ଦୁଆ ତିଆରି କାର୍ଯ୍ୟକ୍ରମ ସଫଳତାର ସହିତ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପୀଗ୍ରାମ ଯୋଜନାରେ ମାଆ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମାଆ ତୁଳସୀ ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ ୩୦ ଜଣଙ୍କୁ ଉତ୍କୃଷ୍ଟ ଧରଣର ଚାନ୍ଦୁଆ ତିଆରି ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ନିପୁଣତା ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଦୁଇଟି ଏସଏଚଜିର ମୋଟ ତିରିଶ ଜଣଙ୍କୁ ଦୀର୍ଘ ଛଅ ମାସ ଧରି ଟ୍ରେନିଙ୍ଗ ଦିଆଯାଇ ସେମାନଙ୍କୁ ହସ୍ତଶିଳ୍ପ ବିଭାଗ ତରଫରୁ ଆତ୍ମନିର୍ଭର କରାଯାଇଛି।

କେନ୍ଦୁଝର ହସ୍ତଶିଳ୍ପ ବିଭାଗ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ଲଲାଟେନ୍ଦୁ କେଶରୀ ସର୍ଦ୍ଦାର, ହସ୍ତଶିଳ୍ପ ପ୍ରୋଜେକ୍ଟ ଅଧିକାରୀ ଅଶୋକ ହଜାଦା, ଦିନେଶ ପାଣିଗ୍ରାହୀ ଓ ପ୍ରଦୀପ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ମହିଳାଙ୍କୁ ମନ ଲଗାଇ ନିଷ୍ଠାର ସହ କାର୍ଯ୍ୟକଲେ ଖୁବ କମ ଦିନରେ କେନ୍ଦୁଝର ଚାନ୍ଦୁଆ ଦେଶର ବିଭିନ୍ନ ସ୍ଥାନରେ ଆଦୃତି ଲାଭ କରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମର ମାଷ୍ଟର ହସ୍ତଶିଳ୍ପ ପ୍ରଶିକ୍ଷିକା ଆରତୀ ମହାକୁଡ଼, କେନ୍ଦୁଝରରେ ତିଆରି ଚାନ୍ଦୁଆ ପିପିଲି ଚାନ୍ଦୁଆ ଠାରୁ ଭିନ୍ନ ଓ ସ୍ୱତନ୍ତ୍ର,ତାଲିମ ପାଇବା ପରେ ଏଠାରୁ ତିଆରି ଚାନ୍ଦୁଆ ବିଶ୍ୱ ବଜାରକୁ ପଠାଯାଇ ବେଶ ସୁନାମ ଅର୍ଜନ କରିପାରିବାର କ୍ଷମତା ବହନ କରିବ ବୋଲି କହିଥିଲେ। ଏହି ଦୁଇ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଖୁବ ସୁନ୍ଦର ଭାବରେ ଚାନ୍ଦୁଆ ତିଆରି କରି ପାରୁଛନ୍ତି ଓ ଆଗାମୀ ଦିନରେ ଦେଶର ବିଭିନ୍ନ ବୟନଶିଳ୍ପ ଓ ହସ୍ତଶିଳ୍ପ ମେଳା ମାନଙ୍କରେ କେନ୍ଦୁଝର ଚାନ୍ଦୁଆ ବିକ୍ରି କରି ସମସ୍ତେ ଲକ୍ଷପତି ଦିଦି ହେବାର କ୍ଷମତା ରଖିଛନ୍ତି ବୋଲି ପ୍ରଶିକ୍ଷିକା ଆରତୀ ମହାକୁଡ଼ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମାଷ୍ଟର ହସ୍ତକଳା ପ୍ରଶିକ୍ଷିକା କଲ୍ୟାଣି ସାହୁ ମହିଳା ମାନଙ୍କ ସୂକ୍ଷ୍ମ କାରିଗରୀ କୌଶଳର ପ୍ରଶଂସା କରିଥିଲେ। ତାଲିମ ନେଇଥିବା ସମସ୍ତ ୩୦ ଜଣ ମହିଳାଙ୍କୁ ଚାନ୍ଦୁଆ ତିଆରିରେ ପ୍ରଶିକ୍ଷଣ ସାର୍ଟିଫିକେଟ ଓ ଆବଶ୍ୟକୀୟ ପ୍ରୋତ୍ସାହନ ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଇଥିଲା। ସମସ୍ତ ମହିଳାଙ୍କୁ ଶିଳ୍ପୀଗ୍ରାମ ଯୋଜନାରେ ଚାନ୍ଦୁଆ ତିଆରି ପାଇଁ ସିଲେଇ ମେସିନ, ଛୁଞ୍ଚି, ସୂତା, କପଡା , କଇଁଚି ପରି ଆବଶ୍ୟକୀୟ ସମସ୍ତ ଉପକରଣ ଓ ଷ୍ଟାଇପେଣ୍ଡ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ବିଭିନ୍ନ ଷ୍ଟଲ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ଜିଲା ହସ୍ତଶିଳ୍ପ କାର୍ଯ୍ୟାଳୟ ଅଧିକାରୀ କହିଛନ୍ତି। କେନ୍ଦୁଝରର ଚାନ୍ଦୁଆ ଖୁବ ଶୀଘ୍ର ବିଶ୍ୱର ଅନେକ ଦେଶରେ ବିକ୍ରି ହେବା ସହ ବିଶ୍ୱ ମାନଚିତ୍ରରେ କେନ୍ଦୁଝରକୁ ଗର୍ବିତ କରିବ ବୋଲି ଆଶା ରଖିଛି ଜିଲା ହସ୍ତଶିଳ୍ପ କାର୍ଯ୍ୟାଳୟ।

Leave a Reply

Your email address will not be published. Required fields are marked *

error: Content is protected !!