ରାୟଗଡ଼(ଗୋପୀନାଥ ଗୌଡ଼): ସାମାଜିକ ସୁରକ୍ଷା ଆଇନ ବଳରେ ଅନେକ ଭିନ୍ନକ୍ଷମ ମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ, ରାୟଗଡା ଜିଲ୍ଲାରେ କିଛି ଭିନ୍ନକ୍ଷମ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ନଜିରକୁ ଆସିଛି । ଯାହାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ରାୟଗଡା ସଦର ବ୍ଲକ ଡାଙ୍ଗଲୋଡି ଗ୍ରାମର ନାବାଳକ ବାବୁଲା କାଡ୍ରାକା। ବାବୁଲାର ଡାହାଣ ଆଖି ସଂପୂର୍ଣ୍ଣ ଦେଖାଯାଉନଥିବା ବେଳେ ବାମ ଆଖି କିଛି ପରିମାଣରେ ଦେଖାଯାଉନାହିଁ । ହାତରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ, ସେ ସରକାରୀ ସହାୟତା ପାଇପାରୁ ନାହାଁନ୍ତି । ଏନେଇ ସେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ସୁଦ୍ଦା, କୌଣସି ସୁଫଳ ମିଳୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଖିର ସ୍ବପ୍ନ ଆଖିରେ ରହିଯିବ କି ଏ ନେଇ ଚିନ୍ତାରେ ପରିବାର ଏବଂ ବାବୁଲା।
ରାୟଗଡା ସଦର ବ୍ଲକ ଡାଙ୍ଗଲୋଡି ଗ୍ରାମର ଡ୍ରିମ୍ବା କାଡ୍ରାକାଙ୍କ ୧୩ ବର୍ଷର ପୁଅ ବାବୁଲା କାଡ୍ରାକା । ବାବୁଲାର ଡାହାଣ ଆଖି ଜମା ଦେଖାଯାଉନଥିବା ବେଳେ, ବାମ ଆଖି ମଧ୍ୟ କିଛିକାଂଶରେ ଦେଖାଯାଉନି । ଖାଲି ସେତିକି ନୁହଁ; ଭଲ ଭାବେ ଶୁଣି ମଧ୍ୟ ପାରୁନାହିଁ । ଘରର ଆର୍ଥିକ ଅବସ୍ଥା ସ୍ବଛଳ ନଥିବା ଯୋଗୁଁ ବାପା ଡ୍ରିମ୍ବା କାଡ୍ରାକା କଷ୍ଟ ମଷ୍ଟେ ବାବୁଲାକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ହେଲେ ଆଖି ଠିକ୍ ହେଲା ନାହିଁ । ପରେ ମେଡିକାଲରେ ଏକ ଭିନ୍ନକ୍ଷମ ପ୍ରମାଣ ପତ୍ର ମଧ୍ୟ କରାଇଥିଲେ । ୮୦ ପ୍ରତିଶତ ଆଖି ସଂପୂର୍ଣ୍ଣ ଅଚଳ ହୋଇପଡିଥିବାରୁ ସେ ସରକାରୀ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ । କିନ୍ତୁ; ଏଵେ ଯାଏଁ ତାକୁ ସରକାରୀ ସହାୟତା ମିଳୁନାହିଁ ।
ଏନେଇ ବାବୁଲାଙ୍କ ବାପା ଡ୍ରିମ୍ବା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ସୁଦ୍ଦା; କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ବାଲ୍ୟବସ୍ଥାରୁ ହିଁ ବାବୁଲା ନିଜ ଡାହାଣ ଆଖିକୁ ସଂପୂର୍ଣ୍ଣ ଭାବେ ହରାଇ ଦେଇଛି । ପାଠପଢା ପ୍ରତି ବାବୁଲାର ଅହେତୁକ ଦୁର୍ବଳତା ରହିଥିଲେ ସୁଦ୍ଦା ଆଖି ଠିକ୍ ରୂପେ ଦେଖାଯାଉନଥିବା ଯୋଗୁଁ ସେ ପାଠ ପଢି ପାରୁ ନାହିଁ । ସେପଟେ ବାପା ଡ୍ରିମ୍ବା କୁଲି ମଜୁରୀ କରି ପରିବାରକୁ ପ୍ରତିପୋଷଣ କରୁଛନ୍ତି । ଘରେ ୪ ପ୍ରାଣୀ କୁଟୁମ୍ବକୁ ନେଇ ଗୁଜୁରାଣ ମେଣ୍ଟାଉଥିବା ଡ୍ରିମ୍ବାଙ୍କ ପାଇଁ ପୁଅର ଚିକିତ୍ସା କରିବା ମୁସ୍କିଲ ହୋଇପଡୁଛି । ତେବେ ୮୦ ପ୍ରତିଶତ ଭିନ୍ନକ୍ଷମଙ୍କ ପାଇଁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବାର ସରକାରୀ ବ୍ୟବସ୍ଥା ରହିଥିବା ବେଳେ, ବାବୁଲା ଏଯାଏଁ ସେହି ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି । ଖବର ନେଇ ସ୍ଥାନୀୟ ବିଡିଓ ସୁଜିତ କୁମାର ମିଶ୍ରଙ୍କୁ ସାକ୍ଷାତ କରିବାରୁ ଘଟଣାର ଅନୁଧ୍ୟାନ କରି ବାବୁଲାକୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀଯୁକ୍ତ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି ।
