ପଞ୍ଚମ ଚନ୍ଦ୍ରଶେଖର କପ ଫୁଟବଲ ଖେଳ ଉଦଘାଟିତ

କେନ୍ଦୁଝର/ଚମ୍ପୁଆ(ପ୍ରଦୀପ ମହାନ୍ତ): ସ୍ଥାନୀୟ ନେହେରୁ ଷ୍ଟାଡିୟମ ଠାରେ ପଞ୍ଚମ ଚନ୍ଦ୍ରଶେଖର ଫୁଟବଲ କପ ଖେଳ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥି ଭାବେ ଯୋଡା ଟ୍ରକମାଲିକ ସଂଘ ସମ୍ପାଦକ ସୁଶାନ୍ତ କୁମାର ବାରିକ, ମର୍ଣ୍ଣିଂ କ୍ଲବ ଉପଦେଷ୍ଟା ରମେଶ ଚନ୍ଦ୍ର ପ୍ରଧାନ, ମର୍ଣ୍ଣିଂ କ୍ଲବ ମୁଖ୍ୟପରିଚାଳକ ଅଭୟ କୁମାର ଦାସ, ସଭାପତି ରଶ୍ମିରଞ୍ଜନ ସେଠୀ, ଉପସଭାପତି କପିଲ ପଶାୟତ, ସମ୍ପାଦକ ଅମିତାଭ ପ୍ରଧାନ, ଯୁଗ୍ମସମ୍ପାଦକ ବିଷ୍ଣୁଚରଣ ପାଣି, କୋଷାଧ୍ୟକ୍ଷ ସତ୍ୟଜିତ ମହାକୁଡ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ଫୁଟବଲ ଟୁର୍ଣ୍ଣାମେଣ୍ଟ ତା୨୪।୧୦।୨୦୨୫ ରିଖ ରୁ ଆରମ୍ଭ ହୋଇ ୨୬।

୧୦।୨୦୨୫ରିଖରେ ଫାଇନାଲ ଖେଳ ଉଦଯାପନ ହେବାର ସ୍ଥିରୀକୃତ ହୋଇଅଛି । ଉକ୍ତ ଉଦଘାଟନୀ ମ୍ୟାଚରେ ମା ବାସୁଳୀ ସରାସପଶି ବନାମ ଜୟମା କାଳୀ ବଲାଣୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଖେଳରେ ଉଭୟ ଦଳ ବହୁ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ । ମାତ୍ର କୌଣସି ଦଳ ଗୋଲ କରିବାରେ ସକ୍ଷମ ହୋଇପାରିନଥିଲେ । ଫଳରେ ପାଞ୍ଚୋଟି ଲେଖାଏଁ ପେନାଲଟିକର ଆଶ୍ରୟ ନିଆଯାଇଥିଲା । ମାତ୍ର ସେଥିରେ ମଧ୍ୟ ବିଫଳ ହେବାରୁ ଅତିରିକ୍ତ ଦୁଇଟି ଲେଖାଏଁ ବଲର ସୁଯୋଗ ଦିଆଯାଇଥିଲା । ଶେଷରେ ୧-୦ ଗୋଲରେ ଜୟମା କାଳୀ ବଲାଣୀ ଏକାଦଶ ବିଜୟୀ ହୋଇଥିଲା । ଏଥିରେ ରେଫରୀ ଭାବେ ସୁଚିତ ଟୋପୋ, ରାକେଶ କୁମାର କିସ୍କୁ, ରାଜକୁମାର ପାଣିଗ୍ରାହୀ, ଗଜାନନ ପାତ୍ର, ରାଜୁ ମହାନ୍ତି, ବିଜୟ ମଙ୍ଗରାଜ ପ୍ରମୁଖ ପରିଚାଳନା କରିଥିଲେ ।

ଭାଷ୍ୟକାର ଭାବେ ନରୋତ୍ତମ ତନ୍ତୀ ଓ ବୁଲବୁଲ ଆପଟ୍ଟ ଉକ୍ତ ଟୁର୍ଣ୍ଣାମେଣ୍ଟର ଧାରା ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟର ପ୍ରଥମ ପୁରସ୍କାର ରାଶି ୨ଲକ୍ଷ ୨୦ହଜାର, ଦ୍ୱିତୀୟ ପୁରସ୍କାର ୧ଲକ୍ଷ ୩୦ହଜାର, ତୃତୀୟ ପୁରସ୍କାର ୭୫ହଜାର, ଚତୁର୍ଥ ପୁରସ୍କାର ୬୦ହଜାର ଆଦି ରଖାଯାଇଛି । ଏଥିସହିତ ବିଭିନ୍ନ ପ୍ରକାର ଆକର୍ଷଣୀୟ ପୁରସ୍କାର ମଧ୍ୟ ରହିଛି । ବିଜେତା ଦଳର ଟିମ ମ୍ୟାନେଜର, ଟୁର୍ଣ୍ଣାମେଣ୍ଟର ଉତ୍ତମ ଖେଳାଳି ଆଦିଙ୍କ ନିମନ୍ତେ ବିଦେଶ ଭ୍ରମଣ ବ୍ୟବସ୍ଥା ମଧ୍ୟ ଏହି କ୍ରୀଡାର ଅଂଶବିଶେଷ ରହିଛି ବୋଲି ମର୍ଣ୍ଣିଂ କ୍ଲବର ମୁଖ୍ୟ ପରିଚାଳକ ଅଭୟ କୁମାର ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!