ଚିମିଳାରେ ସାଂସଦ ଖେଳ ମହୋତ୍ସବ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ): ଚିମିଳା ଖେଳପଡିଆଠାରେ ଚମ୍ପୁଆ ନିର୍ବାଚନ କ୍ଷେତ୍ର ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାୟକ ଯୋଗଦାନ କରି ଖେଳକୁଦକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ ଖେଳରେ ୧୦୦ମିଟର ଦୌଡ, ୪୦୦ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଖୋଖୋ, ଫୁଟବଲ, ଭଲିବଲ ଆଦି ବିଭିନ୍ନ ଖେଳକୁଦ ସ୍ଥାନୀତ ହୋଇଥିଲା । ଏହି ଖେଳ ମହୋତ୍ସବରେ ଚମ୍ପୁଆ ବ୍ଲକର ଓ ଯୋଡା ବ୍ଲକର ବହୁ ପ୍ରତିଭାବାନ ଖେଳାଳି ଅଂଶଗ୍ରହଣ କରିଥିଲେ । ଉକ୍ତ ଖେଳ ମହୋତ୍ସବର ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳରେ ଥିବା ଲୁକାୟିତ ପ୍ରତିଭାକୁ ଖୋଜି ବାହାର କରିବା ଏବଂ ଏହି ଖେଳକୁଦ ଜରିଆରେ ତାଙ୍କର କ୍ରୀଡା ଜଗତରେ ପ୍ରବେଶ କରାଇବା।

ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀ, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କ୍ରୀଡା ପ୍ରତି ବିଶେଷ ଆଗ୍ରହ ଓ ବିଶ୍ୱ ଦରବାରରେ ଏହି ଦୌଡକୁଦର ପ୍ରଚାର ପ୍ରସାର ଦିଗରେ ଯେପରି ଭାରତ ମଧ୍ୟ ତାର ସ୍ଥାନ ମଜଭୁତ କରିପାରିବ ସେ ଦିଗରେ ଏହା ଏକ ଉତ୍ତମ ପ୍ରୟାସ ହେବ ବୋଲି ସୂଚନା ଦେଇଥିଲେ । ଏହି ଖେଳକୁଦ ସମାରୋହରେ ଜିଲାର ବହୁ ବିଶିଷ୍ଟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଚମ୍ପୁଆ ନିର୍ବାଚନର କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଡଃ ମୁରଲି ମନୋହର ଶର୍ମା, ଚମ୍ପୁଆ ଓକିଲ ସଂଘ ସଭାପତି ତଥା ବିଜେପି ନେତା ରମେଶ ଚନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ, ଜିଲା ସମ୍ପାଦକ ନିଳମଣି ମହାନ୍ତ, ଅଗନୁ ଚରଣ ମହାନ୍ତ, ରାଜ୍ୟ ପରିଷଦ ସଦସ୍ୟା ଝରଣା ମହାନ୍ତ, ରାଜେଶ ଆଚାର୍ଯ୍ୟ, କାର୍ତ୍ତିକ ସାହୁ, ମହତାବ ଆଲାମ, ହେମନ୍ତ ବାରିକ, ହବି ଦାସ ଏବଂ ସମସ୍ତ ମଣ୍ଡଳର ମଣ୍ଡଳ ସଭାପତି ପ୍ରମୁଖ ଯୋଗଦାନ କରି ସାଂସଦ ଖେଳ ମହୋତ୍ସବକୁ ରୁଦ୍ଧିମନ୍ତ କରିଥିଲେ ।

ଏଥିରେ ଚମ୍ପୁଆ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଚୁନୁ ହାଁସଦା, ଚମ୍ପୁଆ ଏନଏସି ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା, ବଡବିଲ ପୌରପରିଷଦ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ବହୁ ପଦାଧିକାରୀ ଆଦି ଯୋଗଦାନ କରି ଖେଳ ମହୋତ୍ସବକୁ ପରିଚାଳନା କରିଥିଲେ । ଚମ୍ପୁଆ ଏବଂ ଯୋଡା ଅଞ୍ଚଳର ପ୍ରାୟ ୨୪ଜଣ ଖେଳ ଶିକ୍ଷକ ଉକ୍ତ କ୍ରୀଡାକୁ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଆଦି ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ବାଳକ ବାଳିକା ଆଗାମୀ ଦିନରେ ଜିଲା ସ୍ତରୀୟ କ୍ରୀଡା ମହୋତ୍ସବରେ ଅଂଶ ଗ୍ରହଣ କରିବେ । ପୁନଶ୍ଚ ସେମାନେ ଜିଲା ସ୍ତରରୁ ରାଜ୍ୟ ସ୍ତରୀୟ ମହୋତ୍ସବରେ ଅଂଶଗ୍ରହଣ କରିବେ । ରାଜ୍ୟ ସ୍ତର ପରେ ପୁଣି ଜାତୀୟ ସ୍ତରକୁ ବିବେଚିତ ହୋଇ ତାଙ୍କର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!