କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ରୁଗୁଡ଼ି ଥାନାର ନୂତନ ଥାନାଧିକାରୀ ଭାବେ ଦକ୍ଷ ଓ କାର୍ଯ୍ୟକୁଶଳ ପୋଲିସ୍ ଅଧିକାରୀ ସମ୍ପଦ କୁମାର ମହାନ୍ତି ଆଜି ଆଧିକାରିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କ ଯୋଗଦାନ ସହିତ ରୁଗୁଡ଼ି ଥାନା ଅଞ୍ଚଳରେ ଆଇନ-ଶୃଙ୍ଖଳା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।ପୂର୍ବରୁ ରାଉରକେଲା ସାଇବର ଥାନାରେ କାର୍ଯ୍ୟରତ ଥିବା ଶ୍ରୀ ମହାନ୍ତି ସାଇବର ଅପରାଧ ଦମନ, ଅପରାଧୀ ଚିହ୍ନଟ ଓ ଲୋକମୁଖୀ ପୋଲିସିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ସ୍ଥାନାନ୍ତର ପରେ କେନ୍ଦୁଝର ପୁଲିସ୍ ଜିଲ୍ଲା ମୁଖ୍ୟାଳୟ ଅଧୀନରେ ତାଙ୍କୁ ରୁଗୁଡ଼ି ଥାନାର ଥାନାଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।
ଦାୟିତ୍ୱ ଗ୍ରହଣ କରିବା ପରେ ଗୁରୁବାର ଆମ ପୋଲିସ ସମିତି, ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ତରଫରୁ ନୂତନ ଥାନାଧିକାରୀଙ୍କୁ ଉଷ୍ଣ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହି ଅବସରରେ ସମସ୍ତେ ପୋଲିସ୍ ପ୍ରଶାସନ ସହ ସମନ୍ୱୟ ରଖି ଅଞ୍ଚଳର ସୁରକ୍ଷା ଓ ଶାନ୍ତି ବଜାୟ ରଖିବାକୁ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ।୨୦୧୭ ବ୍ୟାଚ୍ର ଏହି ପୋଲିସ୍ ଅଧିକାରୀ ତାଙ୍କ ଦୀର୍ଘ କାର୍ଯ୍ୟଜୀବନରେ ବିଭିନ୍ନ ଥାନାରେ କାର୍ଯ୍ୟ କରି ଅପରାଧ ନିୟନ୍ତ୍ରଣ, ଅଭିଯାନମୂଳକ ପୋଲିସିଂ ଏବଂ ସାଧାରଣ ଲୋକଙ୍କ ସହିତ ସୁସମ୍ପର୍କ ରଖିବାରେ ନିଜ ଦକ୍ଷତା ପ୍ରମାଣ କରିଛନ୍ତି।
ଖଣି ଓ ଶିଳ୍ପ ଖାଦାନ ଅଞ୍ଚଳରେ ଅବସ୍ଥିତ ରୁଗୁଡ଼ି ଥାନା ଅଞ୍ଚଳରେ ଭାରୀ ଯାନବାହନ ଚଳାଚଳ ଯୋଗୁଁ ଟ୍ରାଫିକ୍ ସମସ୍ୟା, ବେଆଇନ ନିଶା କାରବାର, ଚୋରାଚାଲାନ ଓ ବିଭିନ୍ନ ସମୟରେ ଆଇନ-ଶୃଙ୍ଖଳା ସମସ୍ୟା ଦେଖାଦେଇଥାଏ। ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଶ୍ରୀ ମହାନ୍ତି କଠୋର ଓ ସଠିକ୍ ପଦକ୍ଷେପ ନେବେ ବୋଲି ଅଞ୍ଚଳବାସୀ ଦୃଢ଼ ଆଶା ପ୍ରକାଶ କରିଛନ୍ତି।ନୂତନ ଥାନାଧିକାରୀ ସମ୍ପଦ କୁମାର ମହାନ୍ତି ମଧ୍ୟ ସାଧାରଣ ଲୋକଙ୍କ ସହଯୋଗରେ ଅପରାଧମୁକ୍ତ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ରୁଗୁଡ଼ି ଅଞ୍ଚଳ ଗଢ଼ିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି।
