ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ–୨୦୨୬ ସାରା ରାଜ୍ୟରେ ପାଳନ ପ୍ରରିପ୍ରେକ୍ଷୀରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ମଧ୍ୟ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ସ୍ଥାନୀୟ ଶାଙ୍କୁଳାଈ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧିକ୍ଷଣ ଯନ୍ତ୍ରୀ ସୁପ୍ରଭା କହଁରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ‘ପାଞ୍ଚ-ଜ’ ଯଥା ଜଳ, ଜମି, ଜଙ୍ଗଲ , ଜନ୍ତୁ(ବନ୍ଯ) ଓ ଜନଙ୍କ ସୁରକ୍ଷା ସକାଶେ ରାଜ୍ୟ ସରକାର ବଦ୍ଧପରିକର ବୋଲି ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ଏସଡିଓ ହିମାଂଶୁ ଭୂଷଣ ବିଶ୍ବାଳ, ଭଞ୍ଜନଗର ଏସଡିଓ ସନ୍ତୋଷ କୁମାର ଆରୁଖ, ସୋରଡା ଜେଇ ଶୈଳେନ୍ଦ୍ର କର, ବୁଗୁଡା ଜେଇ ଗୟାଚାନ୍ଦ ନାୟକ, ଆସ୍କା ଜେଇ ନୃସିଂହ ସାମନ୍ତରା, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଅନ୍ତରପଡା ସରପଞ୍ଚ ବସନ୍ତ ଶତପଥୀ, ବୁଗୁଡ଼ା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ପ୍ରଭାକର ପଣ୍ଡା ପ୍ରମୁଖ ଯୋଗ ଦେଇ ଜଳ ପରିଚାଳନରେ ଚାଷୀମାନଙ୍କୁ ସମାନତା ପ୍ରଦାନ କରିବା, ସେମାନଙ୍କର ଅନ୍ତର୍ଭୁକ୍ତି ସୁନିଶ୍ଚିତ କରିବା ସହିତ ଫସଲର ବିବିଧ କରଣ, ପ୍ରଯୁକ୍ତି ବିଦ୍ୟା ଗ୍ରହଣ, ବ୍ୟାପକତା ବୃଦ୍ଧି ସହିତ ଜଳ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ।
ଏ ଅବସରରେ ପୂର୍ବରୁ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର, ଧରାକୋଟ, ଆସ୍କା, ସୋରଡା, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, ବୁଗୁଡ଼ା ଆଦି ବ୍ଲକ ଅନ୍ତର୍ଗତ ଶତାଧିକ ପାଣି ପଞ୍ଚାୟତର କର୍ମକର୍ତ୍ତା ଯୋଗ ଦେଇ ସଙ୍କଳ୍ପ ପାଠ କରିଥିଲା ବେଳେ କାର୍ଯ୍ୟକ୍ରମର ସଂଯୋଜକ ତଥା ସୋରଡା ଏସଡିଓ ସୁଶାନ୍ତ କୁମାର ମହାପାତ୍ର ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
