ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକର କଞ୍ଚୁରୁ ଗ୍ରାମ ନିକଟସ୍ଥ ଏକ କଲଭର୍ଟକୁ ଧକ୍କା ଦେଇ ଜନୈକ ବାଇକ୍ ଚାଳକ ମୃତ୍ଯୁ ବରଣ କରିଥିବା ଜଣାଯାଇଛି। ମୃତ ଯୁବକ ଜଣକ ହେଲେ କଞ୍ଚୁରୁ ଗ୍ରାମର କାମେଶ୍ଵର ସ୍ବାଇଁ(୨୮) । ଏ ନେଇ ଥାନାରେ କେସ୍ ନଂ ୧୧/୨୬ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ସୁରତରେ ଦାଦନ ଖଟୁଥିବା କାମେଶ୍ଵର ତାଙ୍କ ମାଆଙ୍କ ଅନ୍ତେଷ୍ଟି କାର୍ଯ୍ୟରେ ଯୋଗ ଦେବା ପାଇଁ ଗତ ମାସରେ ଗାଁକୁ ଆସିଥିଲେ ହେଁ ସେ ତାଙ୍କ ଶଶୁର ଘର ପଙ୍କଳସାହିରେ ରହୁଥିଲେ।

ତେବେ ବୁଧବାର ଅପରାହ୍ନରେ ସେ ବାଇକରେ ତାଙ୍କ ଗାଁ କଞ୍ଚୁରୁକୁ ବାଇକରେ ଯାଉଥିବା ବେଳେ ଅସାବଧାନତା ବଶତଃ ସେହି ଗାଁ ନିକଟସ୍ଥ ଏକ କଲଭର୍ଟକୁ ଧକ୍କା ଦେଇ ରାସ୍ତାକଡକୁ ଫୋପାଡି ହୋଇପଡିଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପାଟିରୁ ରକ୍ତସ୍ରାବ ହେଉଥିଲା। ତାଙ୍କୁ ଦୁର୍ଘଟଣା ସ୍ଥଳରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!