ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବୁଗୁଡ଼ା ପୋଲିସ ପକ୍ଷରୁ ଏକ ଅଭିନବ ସଡ଼କ ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଆଜି ବୁଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ପୋଲିସ ବାହିନୀ ବାଲିପଦର,ଷୋହଳମାଇଲ ଛକ,ସ୍ଥାନୀୟ ବସ ଷ୍ଟାଣ୍ଡ ,ମଦନମୋହନ ଛକ ବେତାରସିଂ ଛକ ଓ ବିରଞ୍ଚିପୁର ଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ଯେଉଁ ବାଇକ ଚାଳକମାନେ ହେଲମେଟ ପିନ୍ଧି ନିୟମ ପାଳନ କରୁଥିଲେ, ସେମାନଙ୍କୁ ପୋଲିସ ପକ୍ଷରୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଯାଇଥିଲା।
ଅନ୍ୟପଟେ, ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକମାନଙ୍କୁ କେବଳ ତାଗିଦ ନକରି, ଜୀବନର ସୁରକ୍ଷା ପାଇଁ ସେମାନଙ୍କୁ ହେଲମେଟ ପ୍ରଦାନ କରାଯାଇଥିଲା।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଏ.ଏସ.ଆଇ ରାଜ କୁମାର ମହାପାତ୍ର, ଏ.ଏସ.ଆଇ ବାପୁଜୀ ଖଣ୍ଡଗିରି ଏବଂ ଥାନାର ଅନ୍ୟ ସମସ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ବିନା ହେଲମେଟରେ ଚଳାଉଥିବା ଗାଡି ଚାଳକ ମାନଙ୍କୁ ହେଲମେଟ ପ୍ରଦାନ କରିବା ସହିତ ହେଲମେଟ ପିନ୍ଧିଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରିଥିଲେ l ପୋଲିସର ଏହି ମାନବିକ ଆଭିମୁଖ୍ୟ ଓ ସଚେତନତା ଧାରାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
