କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ଲାଲ ମାଟିରେ ଚାଷ ର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ଚମକପୁର ପଞ୍ଚାୟତ ଅଧୀନ ରେଭେନ୍ସାପୁର (କ) ଗାଁର ଗଙ୍ଗାଧର ମୁଣ୍ଡା। ସ୍ଥାନୀୟ ବୃଦ୍ଧାଶ୍ରମ ନିକଟସ୍ଥ ସୁନା ନଦୀ କୂଳରେ ଆଧୁନିକ ପଦ୍ଧତିରେ ଚାଷ କରି ସଫଳତାର ନୂଆ କାହାଣୀ ଲେଖିଛନ୍ତି ଗଙ୍ଗାଧର । ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହଯୋଗ ଫଳରେ ପ୍ରାକୃତିକ ପଦ୍ଧତିରେ ଚାଷ କରି ଆଜି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ୨୦୨୦ ମସିହାରେ ଏକ ସରକାରୀ ପ୍ରକଳ୍ପ ପାଇଁ ନିଜ ଜମି ହରାଇବା ପରେ ଗଙ୍ଗାଧର ଯୋଡ଼ା ଅଞ୍ଚଳକୁ ଆସିଥିଲେ ।
ସ୍କୁଲରେ ପାଠ ପଢିବା ବେଳେ ସେ ଯେତେବେଳେ କହୁଥିଲେ ମୁଁ ‘କୃଷକ’ ହେବି, ସେତେବେଳେ ଅନ୍ୟମାନେ ତାଙ୍କ କଥାକୁ ହସରେ ଉଡାଇ ଦେଉଥିଲେ। ହେଲେ ସେହି ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଅଣ୍ଟା ଭିଡ଼ିଥିଲେ ଗଙ୍ଗାଧର। ସ୍ଥାନୀୟ ଜମି ମାଲିକ ମାନଙ୍କ ସହଯୋଗରେ ପଡ଼ିଆ ପଡ଼ିଥିବା ଚାରି ଏକର ଜମିକୁ ଉଦ୍ଧାର କରି ସେଠାରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଜମି ମାଲିକଙ୍କୁ ବୁଝାଇବା ଓ ସେ ମାଟିରେ କିଭଳି ଚାଷ କରାଯାଇପାରିବ ଜାଣିବାକୁ ୩ ମାସ ସମୟ ଲାଗିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ରାସାୟନିକ ସାର ବ୍ୟବହାର ପରେ ମାଟିର ଉର୍ବରତା ହ୍ରାସ ପାଉଥିବା ଦେଖି ଗଙ୍ଗାଧର ଚିନ୍ତିତ ଥିଲେ । ଏହି ସମୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ତାଙ୍କୁ ସହାୟତାର ହାତ ବଢ଼ାଇଥିଲା ।
ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ମଲ୍ଚିଂ, ବୀଜାମୃତ ଏବଂ ଜୀବାମୃତ ଭଳି ପ୍ରାକୃତିକ ଚାଷ ପ୍ରଣାଳୀ ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାଦ୍ୱାରା ଚାଷ ଖର୍ଚ୍ଚ କମିବା ସହ ଅମଳ ମଧ୍ୟ ବୃଦ୍ଧି ପାଇଲା ।ଜମିରେ ବିଭିନ୍ନ ପ୍ରକାରର ପନିପରିବା, ଶାଗ ଏବଂ ପିଜୁଳି, ଅମୃତଭଣ୍ଡା ଭଳି ଫଳ ଚାଷ କରିବା ସହ ଷ୍ଟ୍ରବେରୀ ଚାଷ କରି ଗଙ୍ଗାଧର ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବିଗତ ତିନିବର୍ଷ ଧରି ଏହି ଜମିରେ ଷ୍ଟ୍ରବେରୀ ଚାଷ କରିଆସୁଥିବା ଗଙ୍ଗାଧର କହନ୍ତି “ଷ୍ଟ୍ରବେରୀ ଏକ ଲାଭଦାୟକ ଚାଷ I ଏ ଅଞ୍ଚଳର ଜଳବାୟୁ ଦେଖି ମୁଁ ପ୍ରଥମେ ଆଶଙ୍କାରେ ଥିଲି I କିନ୍ତୁ ଚାଷ କଲାପରେ ଜାଣି ପାରିଲି ଏହି ଚାଷ ମଧ୍ୟ ଏଭଳି ଜାଗାରେ ହୋଇ ପାରିବ I
ଏ ସମସ୍ତ ସହାୟତା ଏବଂ ମାର୍ଗଦର୍ଶନ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ କୁ ଧନ୍ୟବାଦ I “ସେ କହନ୍ତି, ଏହି ଷ୍ଟ୍ରବେରୀ ଚାଷରୁ ବାର୍ଷିକ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଆନ୍ତି I ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପଲିହାଉସ୍, ବିହନ ଏବଂ ବୈଷୟିକ ପରାମର୍ଶ ବଳରେ ସେ ମାସିକ ପ୍ରାୟ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଖଣି ଗୁଣ୍ଡରୁ ଫସଲକୁ ସୁରକ୍ଷା ଦେବା ପାଇଁ ସେ ଡ୍ରିପ୍ ଇରିଗେସନ୍ ଏବଂ ସ୍ପ୍ରିଙ୍କଲର ବ୍ୟବହାର କରୁଛନ୍ତି ।
