ବ୍ୟାଙ୍କ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରେ ସଶସ୍ତ୍ର ଡକାୟତି: ବିହାରରୁ ଆଉ ୨ ଅଭିଯୁକ୍ତ ଗିରଫ

କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) : ବହୁଚର୍ଚ୍ଚିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରେ ଘଟିଥିବା ସଶସ୍ତ୍ର ଡକାୟତି ମାମଲାରେ ପୋଲିସ୍ ଆଉ ୨ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିହାରର ବୈଶାଳୀ ଜିଲ୍ଲା ଆସୋଇ ଅଞ୍ଚଳର ସନ୍ତୋଷ କୁମାର ଏବଂ ପାଟନା ଭୂପତିପୁର ଅଞ୍ଚଳର ନବୀନ କୁମାର।ପୋଲିସ୍ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୪୦ ଗ୍ରାମ ସୁନା ଚେନ୍, ମୁଦି ଏବଂ ମୋବାଇଲ୍ ଫୋନ୍ ଜବତ୍ କରାଯାଇଛି। ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ବିହାରର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।ଆଜି ଦୁଇ ଅଭିଯୁକ୍ତଙ୍କୁ ବଡ଼ବିଲକୁ ଆଣି ସହରର ମୁଖ୍ୟ ବଜାର ଅଞ୍ଚଳରେ ପୋଲିସ୍ ମାର୍ଚ୍ଚ କରାଇଥିଲା।

ବାଟା ଛକରୁ ଥାନା ଛକ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଚାଲି ନିଆଯାଇଥିଲା। ଅଭିଯୁକ୍ତମାନଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।ଏପର୍ଯ୍ୟନ୍ତ ଏହି ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତଥାପି ଡକାୟତିରେ ସିଧାସଳଖ ସାମିଲ ଥିବା ୩ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି।ଗତ ଜାନୁଆରୀ ୧୯ ତାରିଖରେ ବଡ଼ବିଲ ଶାଖାରେ ବନ୍ଧୁକ ମୁନରେ ଡକାୟତମାନେ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା ଏବଂ ୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବନ୍ଧକ ସୁନା ଲୁଟି ନେଇଥିଲେ। ଘଟଣା ପରେ ପୋଲିସ୍ ତଦନ୍ତ ଜୋରଦାର କରି ଝାଡ଼ଖଣ୍ଡର ଧାନବାଦରୁ ୨ ଜଣ ଏବଂ ଯୋଡ଼ା ବିଲେଇପଦା ଅଞ୍ଚଳରୁ ଜଣେ ସହଯୋଗୀଙ୍କୁ ଗିରଫ କରିଥିଲା।

ଏହା ସହିତ ଦୁର୍ଦ୍ଦାନ୍ତ ଅପରାଧୀ ସିପୁ କୁମାରକୁ ବିହାରରୁ ଧରାଯାଇଥିଲା। ପରେ ସେ ଖସିଯିବାକୁ ଚେଷ୍ଟା କରିବାରୁ ପୋଲିସ୍ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ଏଥିରେ ସିପୁଙ୍କ ଡାହାଣ ପାଦରେ ଗୁଳି ଲାଗି ସେ ଗୁରୁତର ଆହତ ହୋଇଥିଲେ।ପୋଲିସ୍ ବର୍ତ୍ତମାନ ଫେରାର ଥିବା ୩ ଡକାୟତଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ସୁନା ଉଦ୍ଧାର ପାଇଁ ଯୋରଦାର ତଲାଶି ଜାରି ରଖିଛି। ଏପର୍ଯ୍ୟନ୍ତ ମୋଟ ୩୨୦ ଗ୍ରାମ ସୁନା ଗହଣା, ୨ଟି ସ୍କର୍ପିଓ ଗାଡ଼ି, ଗୋଟିଏ ବାଇକ୍ ଓ କିଛି ମୋବାଇଲ୍ ଫୋନ୍ ଜବତ୍ ହୋଇଥିବା ସୂଚନା ମିଳିଛି।ଘଟଣାକୁ ନେଇ ସମଗ୍ର ବଡ଼ବିଲ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ଓ ପୋଲିସ୍ ପକ୍ଷରୁ ଆଗାମୀ ଦିନରେ ଆଉ ଗିରଫ ହେବାର ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *

error: Content is protected !!