ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସମ୍ପ୍ରତି ବିଭିନ୍ନ ମାଧ୍ୟମରେ ସଚେତନତା ସତ୍ତ୍ବେ ଲୋକେ ସାଇବର ଠକେଇର ଶିକାର ହୋଇଆସୁଥିବା ବେଳେ ଓଡିଶା ପୋଲିସର ସାଇବର କବଚ ସ୍ବତନ୍ତ୍ର ଅଭିଯାନ ପରିପ୍ରେକ୍ଷୀରେ ବୁଗୁଡା ପୋଲିସ ଏବେ ଏକ ସାଇବର ଠକେଇ ନେଟୱାର୍କର ପର୍ଦ୍ଦାଫାସ କରି ୨ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଠକ ଦ୍ବୟ ଆସ୍କା ଥାନା ଅନ୍ତର୍ଗତ ଫାପଲପୁର ଗ୍ରାମର ମନୋଜ କୁମାର ସ୍ବାଇଁ(୩୨) ଓ ଅଶ୍ବିନୀ କୁମାର ରାଉତ (୨୪) ହୋଇଥିବା ବେଳେ ସେ ଦ୍ବୟଙ୍କ ବିରୁଦ୍ଧରେ ଯଥାକ୍ରମେ କେସ୍ ନଂ ୮୧/୨୬ ଓ ୮୨/୨୬ ରେ ଦୁଇଟି ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।
ପ୍ରକାଶ ଯେ, ବୁଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ବିଭିନ୍ନ ବ୍ଯାଙ୍କରେ ବ୍ଯବହୃତ ମ୍ଯୁଲ୍ ଆକାଉଣ୍ଟ୍ ସମ୍ପର୍କେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଜାରି କରାଯାଇଥିବା ତାଲିକା ଆଧାରରେ ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା , ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡି ଏବଂ ଅନ୍ୟ କେତେକ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍ ଯାଞ୍ଚ ଆରମ୍ଭ କରିଥିଲା। ପୋଲିସ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପ୍ରକ୍ରିୟା କାଳରେ ଅନେକ ମ୍ଯୁଲ୍ ବ୍ଯାଙ୍କ ଆକାଉଣ୍ଟରୁ ୩୦ ଲକ୍ଷ ଟଙ୍କାର ଠକେଇ କାରବାର ଠାବ କରାଯିବା ସହ ସାଇବର ଠକଙ୍କ ବ୍ଯାଙ୍କ ପାସବୁକ୍ , କାରବାର ବିବରଣୀ , ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଅପରାଧମୂଳକ ସାମଗ୍ରୀ ଜବତ କରାଯାଇଛି।
ଏଥି ସହ ଯାଞ୍ଚ ସମୟରେ ଏହି ସାଇବର ଠକେଇ ନେଟୱର୍କର ଅନ୍ଯତମ ଅଂଶୀଦାର ଭାବେ ଝାଡଖଣ୍ଡର ରାହୁଲ କୁମାର ମଣ୍ଡଳ ଓ ଉମେଶ କୁମାର ମଣ୍ଡଳଙ୍କୁ ଚିହ୍ନଟ କରାଯାଇଛି। ତେବେ ପୋଲିସ ଭାରତୀୟ ନ୍ଯାୟ ସଂହିତାର ଧାରା ୩୧୮(୪), ୩୩୬(୩) , ୩୪୦(୨), ୬୧(୨), ୧୧୨(୨)/୩(୫) ଏବଂ ଆରଡବ୍ଲୁ ଧାରା ୬୬-ଡି ଆଇଟି ଆଇନ ଅନୁଯାୟୀ ଗିରଫ ଅଭିଯୁକ୍ତ ଦ୍ବୟଙ୍କ ବିରୁଦ୍ଧରେ ପୃଥକ୍ ଭାବେ ଦୁଇଟି ମାମଲା ରୁଜୁ କରି ଏହି ସାଇବର ଠକେଇ ଅପରାଧର ଚେର କେଉଁ ପର୍ଯ୍ଯନ୍ତ ଲମ୍ବି ରହିଛି ସେନେଇ ପୋଲିସ ତା’ର ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି।
