କେନ୍ଦୁଝର/ବଡ଼ବିଲ (ସୀତାରାମ ଦୀକ୍ଷିତ) : ବଡ଼ବିଲ ପୌରାଞ୍ଚଳର ଠାକୁରାଣୀ ଅଞ୍ଚଳରେ ନିୟୋଜିତ ବାଉଁସର୍ମାନଙ୍କ ଦାଦାଗିରି ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ମାଇନ୍ସକୁ ଆୟରନ୍ ଲୋଡ଼ିଂ ପାଇଁ ଆସୁଥିବା ଗାଡ଼ି ଚାଳକମାନଙ୍କୁ କିଛି ବାଉଁସର୍ ଦ୍ୱାରା ଦୁର୍ବ୍ୟବହାର ଓ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି।ସମ୍ପ୍ରତି ଏକ ଘଟଣାରେ ଜଣେ ଗାଡ଼ି ଚାଳକଙ୍କୁ ଆକ୍ରମଣ କରାଯାଇଥିବା କଥା ଚର୍ଚ୍ଚାରେ ଆସିବା ପରେ, ବଡ଼ବିଲ ଅଞ୍ଚଳର ଏକାଧିକ ଗାଡ଼ି ମାଲିକ ବଡ଼ବିଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ଥାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉଦ୍ଭବ ହୋଇଥିଲା।
ଅଭିଯୋଗ ପରେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ଦୁଇଜଣ ବାଉଁସର୍ଙ୍କୁ ଥାନାକୁ ଡାକିଥିଲେ। ସେହି ସହ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଥାନାରେ ଉପସ୍ଥିତ ହେବାକୁ କୁହାଯାଇଥିଲା। ଗାଡ଼ି ମାଲିକମାନେ କମ୍ପାନୀ ପକ୍ଷ ସହ ଆଲୋଚନା କରି ବାଉଁସର୍ମାନଙ୍କ ବ୍ୟବହାର ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।ଥାନା ଅଧିକାରୀ କମ୍ପାନୀ ପକ୍ଷକୁ କଡ଼ା ତାଗିଦ୍ କରି ଆଗାମୀ ଦିନରେ ଏପରି ଘଟଣା ପୁଣି ନ ଘଟିବା ପାଇଁ ପ୍ରୟୋଜନୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଆଲୋଚନା ଓ ସମ୍ମତିରେ ପରିସ୍ଥିତିକୁ ଶାନ୍ତ କରାଯାଇଥିବା ଜଣାପଡ଼ିଛି।ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଗାଡ଼ି ଚାଳକ ଓ ମାଲିକମାନେ ସୁରକ୍ଷିତ ଓ ସମ୍ମାନଜନକ ପରିବେଶର ଦାବି କରିଛନ୍ତି।
