ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଆଗକୁ ଆସୁଛି ହୋଲିଖେଳର ପର୍ବ ଦୋଳ ପୂର୍ଣ୍ଣିମା । ବୁଗୁଡା ସହରରେ ବିରଞ୍ଚି ନାରାୟଣ ଏବଂ ବଳଦେବ ମନ୍ଦିର ପକ୍ଷରୁ ଉତ୍ସାହର ସହ ଦୋଳ ଉତ୍ସବ ପାଳନ ଅବସରରେ ଦୈନିକ ସନ୍ଧ୍ୟା କାଳରେ ଦୋଳଗୋବିନ୍ଦଙ୍କୁ ଦୋଳବିମାନରେ ଉପବେଶନ କରାଇ ନଗର ଭ୍ରମଣ କାର୍ଯ୍ୟକ୍ରମ ଚାଲୁ ରହିଛି ରହିଛି ।ଆସନ୍ତା ବୁଧବାର ଦିନ ରଙ୍ଗବେରଙ୍ଗର ହୋଲି ଖେଳିବା ପାଇଁ ଆବାଳବୃଦ୍ଧବନିତା ଉତ୍କଣ୍ଠିତ ଥିବାବଳେ ସହରର ଅନେକ ସ୍ଥାନରେ ବିଭିନ୍ନ ରଙ୍ଗର ପସରା ମେଲାଇଥିବା ବ୍ୟବସାୟୀଙ୍କ ବେପାର ମଧ୍ୟ ଜମୁଥିବା ଦେଖିବାକୁ ମିଳିଛି |
ବୁଗୁଡା ସହରାଞ୍ଚଳର ହାଇସ୍କୁଲ ଛକ, ପୁରୁଣା ବସଷ୍ଟାଣ୍ଡ, ବ୍ଲକ ଛକ, ଗଣେଶ ମାର୍କେଟ୍ କମ୍ପ୍ଲେକ୍ସ, ମଦନ ମୋହନ ଛକରେ ମାଳ ମାଳ ହୋଲି ସାମଗ୍ରୀ ବିକ୍ରି ଦୋକାନ ଖୋଲା ଯାଇଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ବହୁଳ ଭାବରେ ହୋଲି ସାମଗ୍ରୀ ବିକ୍ରି ଦୋକାନ ଦେଖୁବାକୁ ମିଳିଛି | ଦୋକାନ ଗୁଡିକରେ ଟୋପି,ଫେସ୍ ମାସ୍କ,ପିଚକାରୀ, ବେଲୁନ୍, ପୋଷାକ, ଚଷମା, କଲର ସ୍ପ୍ରେ ଆଦି ସାମଗ୍ରୀର ବେପାର ମଧ୍ୟ ଜମୁଛି । ଛୋଟ ପିଲାଙ୍କ ଲାଗି ସ୍ଵତନ୍ତ୍ର ଭାବେ ଖେଳନା ଯାହାକୁ ବ୍ୟବହାର କରି ପିଲାଏଁ ହୋଲି ଖେଳିବେ ଓ ମଜା ନେବେ ତାହା ମଧ୍ୟ ବିକ୍ରି ହେଉଛି ।
ବଡ ବଡ ଅବିର ପ୍ୟାକେଟଠୁ ଆରମ୍ଭ କରି ଛୋଟ ଛୋଟ ପ୍ୟାକେଟ ମଧ୍ଯ ବିକ୍ରି ହେଉଛି | ସୁଗନ୍ଧିତ ଅବିର ୧୦୦ ଗ୍ରାମ ପ୍ୟାକେଟ ପ୍ରତି ୧୦ ଟଙ୍କା ରହିଥିବା ବେଳେ ହର୍ବାଲ୍ ରଙ୍ଗ ୧୦୦ ଗ୍ରାମ ପ୍ୟାକେଟ ୫୦ ଟଙ୍କାରେ ବିକ୍ରି ହେଉଛି । ବିଶେଷ କରି ହର୍ବାଲ ରଙ୍ଗର ଚାହିଦା ସବୁଠାରୁ ଅଧିକ ରହିଥିବା ବେଳେ ଏ ବର୍ଷ ହୋଲି ବେପାର ଜମୁଥିବା ନେଇ ବେପାରୀମାନେ ସ୍ଵୀକାର କରିଛନ୍ତି ।
