ଗୋତମରା ଉପରସାହିରେ ଭକ୍ତିମୟ ପରିବେଶରେ ବାର୍ଷିକ ହରିହାଟ ମହୋତ୍ସବ ପାଳିତ

ଅନୁଗୁଳ/ବଅଁରପାଳ(ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଉପରସାହିରେ ଶନିବାର ଦିନ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ମଧ୍ୟରେ ବାର୍ଷିକ ବଡ଼ ମେଳା ହରିହାଟ ମହୋତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମହକି ଉଠିଥିଲା ଓ ହଜାରହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ସକାଳ ୭ଟା ବେଳେ ଦୁଡ଼ିଆ ପୁଷ୍କରିଣୀରୁ ଶତାଧିକ ମହିଳାମାନେ ପାରମ୍ପରିକ ପୋଷାକରେ ସଜେଇ ହୋଇ କଳସ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ମଥାରେ କଳସ ଧରି ସଙ୍ଗୀତ ଓ ହରିନାମ ଉଚ୍ଚାରଣ ମଧ୍ୟରେ ସେମାନେ ଯଜ୍ଞ ସ୍ଥଳକୁ ପହଞ୍ଚିଥିଲେ, ଯାହା ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ମାହୋଲରେ ଭରି ଦେଇଥିଲା।

ପରେ ସକାଳ ପ୍ରାୟ ୧୦ଟା ବେଳେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଦିବା ୧୨ଟା ସମୟରେ ପୂର୍ଣ୍ଣାହୁତି ହୋଇଥିଲା।ଦିବା ୧ଟା ପରେ ଆରାଧ୍ୟ ରାଧା-କୃଷ୍ଣଙ୍କ ବିଗ୍ରହକୁ ସୁସଜ୍ଜିତ ପାଲିଙ୍କିରେ ବସାଇ ଗ୍ରାମ ପରିକ୍ରମା ପାଇଁ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ହଜାରହଜାର ଭକ୍ତ ଯୋଗଦେଇ ହରିନାମ ସଂକୀର୍ତ୍ତନରେ ମଗ୍ନ ହୋଇଥିଲେ। ଏହା ସହିତ କଲିକତାର ପ୍ରସିଦ୍ଧ କାଳୀ ନୃତ୍ୟ, ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ, ମହିଳାମାନଙ୍କ ବାଦ୍ୟ ପରିବେଷଣ, ଡିଜେ ସଙ୍ଗୀତ ଓ ଛତି ପ୍ରଦର୍ଶନ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲା।

ଭକ୍ତମାନଙ୍କ ସୁବିଧା ପାଇଁ ଥଣ୍ଡା ପାନୀୟ ଗାଡ଼ି ସହିତ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା।ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ଅହୋରହ ହରିନାମ ସଂକୀର୍ତ୍ତନ ଚାଲିଥିଲା ଓ ରାତି ୮ଟା ବେଳେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଭକ୍ତିରସରେ ଭିଜିଥିବା ଏହି ମହୋତ୍ସବ ଗ୍ରାମବାସୀଙ୍କୁ ଏକତ୍ର କରିଥିଲା।ପରଦିନ ସକାଳ ୬ଟାରେ ନଗରକିର୍ତନ କାର୍ଯକ୍ରମ ଆୟୋଜିତ ହେବ। ନଗରକିର୍ତନ ମାଧ୍ୟମରେ ରାଧାକୃଷ୍ଣଙ୍କୁ ଭକ୍ତମାନଙ୍କ ଗହଣରେ ଭକ୍ତ ଘରେ ପୁଣି ସ୍ଥାପନ କରାଯିବ ଓ ଏହା ସହିତ ବାର୍ଷିକ ହରିହାଟ ମହୋତ୍ସବର ଶୁଭ ସମାପନ ହେବ।

Leave a Reply

Your email address will not be published. Required fields are marked *

error: Content is protected !!