ତାଳଚେର(ଅଜିତ କୁମାର ଭୋଇ): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠ ପରିସରରେ ପାଳିତ ହୋଇଯାଇଛି । ମା’ଙ୍କ ମୁଖ୍ୟ ପୂଜକଙ୍କ ଦିଅଁଘରୁ ଦିବା ୧୨.୪୫ମି. ସମୟରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ କୁଟେଇଶୁଣୀ ମଣ୍ଡପକୁ ଆଣିଥିଲେ । ସେଠାରେ ମୁଖ୍ୟପୂଜକ କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ମା’ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ମାର୍ଜନା ଓ ସ୍ନାନ ପରେ ଶାବର ମତରେ ପୂଜାର୍ଚ୍ଚନା କରିଥିଲେ ।
ପୂଜା ପରେ ଦୁଇଜଣ ପାଇକ ଠାକୁରାଣୀଙ୍କ ପାଟଖଣ୍ଡା ଓ ଆଜ୍ଞାମାଳ ନେଇ ଗୋପାଳପ୍ରସାଦ ଗ୍ରାମସ୍ଥିତ ପାଟଣା ସାହିରେ ଥିବା ପତିଆରଙ୍କ ବାସଗୃହକୁ ଡାକି ଯାଇଥିଲେ । ବିଧି ଅନୁଯାୟୀ ପାଇକମାନେ ତିନି ଥର ଡାକିଲା ପରେ ପତିଆର ସ୍ନାନାଦି କର୍ମ ସମାପନ କରି କୁଟେଇଶୁଣୀ ମଣ୍ଡପକୁ ବିଜେ କରିଥିଲେ । ମୁଖ୍ୟ ଦେହୁରୀଙ୍କ ହସ୍ତରୁ ପାଣି ନେଇ ପତିଆର ପଞ୍ଚାଙ୍ଗ ଧୌତ ହେଲା ପରେ ପୂଜା ପିଢ଼ ସମ୍ମୁଖରେ ତାଳଚେର ରାଜାଙ୍କ ପ୍ରଦତ ନୂତନ ବସ୍ତ୍ର ପରିଧାନ କରି ଆସନ ଗ୍ରହଣ କରିଥିଲେ । ଏହାପରେ ଦେହୁରୀ ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାର ବିଧି ଅନୁଯାୟୀ ପୂଜା କରିଥିଲେ ।
ପାରମ୍ପରିକ ଢୋଲ, ନିଶାଣ, ମହୁରୀ ଆଦି ବାଦ୍ୟ ନାଦ ମଧ୍ୟରେ ପତିଆରଙ୍କ ମସ୍ତକରେ ଗୁଡ଼ର ସହସ୍ରଧାର ଢଳା ଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପୂଜାକୁ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପୂଜା କୁହାଯାଏ । ପତିଆରଙ୍କ ଠାରେ ମା ହିଙ୍ଗୁଳା ଆବିଷ୍ଟ ହୋଇ ଆର୍ବିଭାବର ଦିଗ ସମ୍ବଦ୍ଧରେ ସୂଚନା ଦେହୁରୀଙ୍କୁ ଦେଇଥାନ୍ତି । ପୂର୍ବ ସୂଚନାକୁ ଆଧାର କରି ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା’ଙ୍କ ଆବିର୍ଭାବ ସ୍ଥଳୀ ବା ଉଭା ସ୍ଥଳୀକୁ ଚିହ୍ନଟ କରିଥାନ୍ତି । ଏହି ଉତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ହରିବୋଲ,ହୁଳହୁଳି ଶବ୍ଦ ସହ ଜୟ ମା ହିଙ୍ଗୁଳା ନାରାରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା ।
