ବୁଗୁଡ଼ାରେ ଘନେଇଛି ପେଟ୍ରୋଲ ସଙ୍କଟ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସଂପ୍ରତି ବୁଗୁଡ଼ାରେ ଘରୋଇ ଗ୍ୟାସ ସାଙ୍ଗକୁ ପେଟ୍ରୋଲ ସଙ୍କଟ ଘନେଇଛି। ବୁଗୁଡାରେ ରହିଥ‌ିବା ତିନୋଟି ପେଟ୍ରୋଲ ପମ୍ପ୍ ମଧ୍ୟରୁ ଇଣ୍ଡିଆନ୍ ଅଏଲ ଓ ନାଏରା ପେଟ୍ରୋଲ ପମ୍ପ୍ ଦ୍ବୟ ପେଟ୍ରୋଲ ଅଭାବରୁ ବନ୍ଦ ରହିଥ‌ିବା ବେଳେ ଷୋଳମଇଲିସ୍ଥିତ ପେଟ୍ରୋଲ ପମ୍ପଟି ଖୋଲା ରହିଥିଲେ ହେଁ ସେଠାରେ ବାଇକ ଆରୋହୀ ଲମ୍ବାଧାଡ଼ି ଲାଗୁଛି। ପ୍ରତି ଗାଡ଼ିପିଛା କେବଳ ଦୁଇଶହ ଟଙ୍କାର ସ୍ପିଡ୍ ପେଟ୍ରୋଲ ମିଳୁଛି। ଫଳରେ ସେହି ପେଟ୍ରୋଲ ପମ୍ପରେ ଗାଡି ଚାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପକ୍ଷରେ ପମ୍ପରେ ପେଟ୍ରୋଲ ଅଭାବରୁ ବୁଗୁଡ଼ାର ବିଭିନ୍ନ ଦୋକାନରେ ପୂର୍ବରୁ ପେଟ୍ରୋଲ ଲିଟର ପ୍ରତି ୧୨୦ରୁ ୧୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖ‌ିବାକୁ ମିଳିଥିଲା ବେଳେ ସମ୍ପ୍ରତି ସେହି ଦୋକାନଗୁଡ଼ିକରେ ଏବେ ବିକ୍ରି ପାଇଁ ପେଟ୍ରୋଲ ନାହିଁ। ପେଟ୍ରୋଲ ସଙ୍କଟ ଯୋଗୁଁ ଲୋକେ ବାଇକରେ ଦୂରସ୍ଥାନକୁ ଯାଇପାରୁନାହାଁନ୍ତି। ସେହିପରି ବିଭିନ୍ନ କୋରିୟର୍ ସଂସ୍ଥାର ଡେଲିଭର ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି ।ପେଟ୍ରୋଲ ସଙ୍କଟ ଯୋଗୁଁ ସୃଷ୍ଟ ସମସ୍ୟାକୁ ନେଇ ଲୋକେ ଚିନ୍ତିତ ଥିବାବେଳେ ଯଥାଶୀଘ୍ର ପେଟ୍ରୋଲ ପମ୍ପଗୁଡିକରେ ପେଟ୍ରୋଲ ଉପଲବ୍ଧ ହେବା ନେଇ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଗଣ ଆଶ୍ଵାସନା ଦେଉଥ‌ିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!