ବଦଳି‌ ନେଇ ଶିକ୍ଷକ ମହଲରେ ଭାଳେଣୀ ଗାଁ କୁ ଯିବେ ସହରୀ ଶିକ୍ଷକ।

ରାୟଗଡା (ଗୋପୀନାଥ ଗୌଡ଼) : ଗୋଟିଏ ପଟେ ଜିଲ୍ଲାର ବୃଦ୍ଧି ପାଉଥିବା ଡ୍ରପ ଆଉଟ ସଂଖ୍ୟା ଓ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ସ୍ଥିତିକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି । ଏହାକୁ ନେଇ ଶିକ୍ଷା ବିଭାଗ ଏବଂ ପ୍ରଶାସନିକ ମହଲରେ ଚାଲିଛି ତନାଘନା । ସମସ୍ତ ଆବଶ୍ୟକିୟ ସୁବିଧା ପ୍ରଦାନ କରାଯାଉଥିବା ବେଳେ କାହିଁକି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିପାରୁନି । ଏହାକୁ ନେଇ ଖୋଦ ଜିଲ୍ଲାପାଳ ଶିକ୍ଷକ ମାନଙ୍କ ସ୍ଥିତିକୁ ନେଇ ମାଗିଛନ୍ତି ରିପୋର୍ଟ । କେଉଁ ଶିକ୍ଷକ ଗ୍ରାମାଞ୍ଚଳରେ ଶିକ୍ଷାଦାନ କରିଛନ୍ତି ଏବଂ କେଉଁ ଶିକ୍ଷକ ସହରାଞ୍ଚଳ କିମ୍ବା ନିଜ ସୁବିଧା ମୁତାବକ ନିଜ ଅଞ୍ଚଳରେ ରହି ଶିକ୍ଷାଦାନ କରୁଛନ୍ତି ଗତ ୧୦/୧୫ ବର୍ଷର ରିପୋର୍ଟ ମାଗିଛନ୍ତି ଜିଲ୍ଲାପାଳ । ଏହାକୁ ନେଇ ଶିକ୍ଷା ବିଭାଗ ଏବଂ ଶିକ୍ଷକ ମହଲରେ ଭାଳେଣି ପଡିଛି ।

ଆବଶ୍ୟକ ସ୍ଥଳେ ଜିଲ୍ଲା ଭିତରେ ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକକୁ ବଦଳି କରାଯିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ଶିକ୍ଷା ବିଭାଗକୁ । ଚଳିତ ବର୍ଷ ୬ ଜଣ ମାଟ୍ରିକ ପରୀକ୍ଷାରେ ଏ୧ ଆଣିଥିବା ବେଳେ ସେଥିମଧ୍ୟରୁ ଥେରୁବାଲି ସ୍ଥିତ ଇମ୍ପା କେମ୍ପସ ହାଇସ୍କୁଲର ଏକ ମାତ୍ର ଛାତ୍ରୀ ସୁଦେଷ୍ନା ପାଣି ଏ୧ ଆଣି ସରକାରୀ ଶିକ୍ଷା ବ୍ୟବସ୍ଥାର ସମ୍ମାନ ରିଖିଥିଲେ । ସେହିଭଳି ଏ୨ ମାର୍କ ୪୨ ଜଣ ଛାତ୍ର ଛାତ୍ରୀ ଆଣିଥିବା ବେଳେ ଅଧାରୁ ଅଧିକା ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ । ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଜିଲ୍ଲାପାଳ ଜିଲ୍ଲା ସ୍ତରୀୟ ଗୁଣାତ୍ମକ ଶିକ୍ଷା ସମୀକ୍ଷା ବୈଠକରେ ଆଶୁତୋଷ କୁଲକର୍ଣୀ ଅସନ୍ତୋଷ ଝାଡିଥିଲେ । ଏକ ସ୍ଥାନରେ ୧୦ରୁ ୧୫ବର୍ଷ ମଧ୍ୟରେ ନିରନ୍ତର କାର୍ଯ୍ୟରତ ଥିବା ଶିକ୍ଷକଙ୍କ ଅନ୍ୟ ବ୍ଳକକୁ ସମୂହ ବଦଳି କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

ସୂଚନାରୁ ଜଣାପଡିଛି ଜିଲ୍ଲାରେ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗର ୧୦୫୦ଟି ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ୪୮୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୧୩୦ଟି ମାଧ୍ୟମିକ ବିଦ୍ୟାଳୟ ଓ ୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ୫୬ଟି ପ୍ରାଥମିକ,୩୫ଟି ଉଚ୍ଚ ପ୍ରାଥମିକ,୩୭ଟି ମାଧ୍ୟମିକ ବିଦ୍ୟାଳୟ ଓ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ଜିଲ୍ଲାରେ ୧୮ଟି ବେସରକାରୀ ପ୍ରାଥମିକ ବିଦ୍ୟାଳୟ,୬୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୩ଟି ମାଧ୍ୟମିକ ବିଦ୍ୟାଳୟ ୨୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ,ଓଏଭି,ଧନ୍ଦାମୂଳକ ବିଦ୍ୟାଳୟ ଓ ଇଏମଆରଏସ ଭଳି ବିଦ୍ୟାଳୟ ମଧ୍ୟ ରହିଛି । ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ମଧ୍ୟ ଫଳାଫଳ ଏବଂ ଗୁଣାତ୍ମକ ଶିକ୍ଷା ଉପରେ ପ୍ରଭାବ ପଢ଼ୁଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

error: Content is protected !!