କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତର ବାଙ୍କ ଗ୍ରାମରେ ରହୁଥିବା ଏକ ଅନାଥ ଶିଶୁକୁ ସ୍ଥାନୀୟ ସରପଞ୍ଚ ସଞ୍ଚିତା ଚାତାରଙ୍କ ସହାୟତାରେ ଜିଲା ଶିଶୁ ମଙ୍ଗଳ ଗୃହକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୂଳବାସିନ୍ଦା ମିରିଗିସିଙ୍ଗା ଗ୍ରାମର ସ୍ୱର୍ଗତ ଶ୍ୟାମ ଲାଗୁରୀଙ୍କ ପୁଅ ୫ ବର୍ଷ ୯ ମାସର ଶିଶୁ ଚନ୍ଦନ ଲାଗୁରୀ ନିଜ କକା ଅର୍ଜୁନ ମୁଣ୍ଡାଙ୍କ ଲାଳନ ପାଳନରେ ବର୍ତ୍ତମାନ ରହୁଥିଲା । ମାତ୍ର ପାରିବାରିକ ହିଂସା ଦିନକୁ ଦିନ ଚନ୍ଦନ ପ୍ରତି ଅସହ୍ୟ ହେଲା । ସାହି ପଡିଶା ଚାରିଆଡେ ତାର ନିର୍ଯ୍ୟାତନାର ଗାଥା ହାଟରେ ପଡି ଦାଣ୍ଡରେ ଗଡିଲା ।
ଫଳସ୍ୱରୂପ ସ୍ଥାନୀୟ ସରପଞ୍ଚ ସଞ୍ଚିତା ଚାତାର ବାଧ୍ୟ ହୋଇ ଚମ୍ପୁଆ ଥାନାରେ ଏ ସମ୍ବନ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ପୁଲିସ ଘଟଣାର ସତ୍ୟାସତ୍ୟ ପରଖି ଶିଶୁଟିକୁ ଶିଶୁମଙ୍ଗଳ ଗୃହକୁ ହସ୍ତାନ୍ତର କରିଥିବା ଜଣାପଡିଛି । ସୂଚନାଯୋଗ୍ୟ କି କିଛିଦିନ ତଳେ ଶିଶୁଟିର ବାପା ଶ୍ୟାମ ଲାଗୁରୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଦୁର୍ଘଟଣା ଜନିତ କ୍ଷୟକ୍ଷତି ମିଳିବା ଆଶାରେ ଚନ୍ଦନର କାକା ଚନ୍ଦନକୁ ଆପଣାଇଥିଲେ । ମାତ୍ର ଦୁର୍ଘଟଣା ଜନିତ କ୍ଷୟକ୍ଷତି ସରକାରୀ କଳର ଅଜବ କାଇଦା ତାଙ୍କୁ ଜଣାନଥିଲା କି ସରକାରୀ ମିଳିନଥିଲା ।
ଫଳରେ ଅର୍ଥ ମିଳିବା ଆଶା ବିଫଳ ହେବା କାରଣରୁ ଶିଶୁଟିକୁ ଲାଳନ ପାଳନ କରିବା ପରିବର୍ତ୍ତେ ନିର୍ଯ୍ୟାତନା ଆରମ୍ଭ ହୋଇଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ସରପଞ୍ଚ ଏବଂ ଆସ୍ପାୟାର କାର୍ଯ୍ୟକର୍ତ୍ତା ସନ୍ଧ୍ୟାରାଣୀ ନାଏକ ଥାନାର ଆଶ୍ରୟ ନେଇଥିଲେ । ଚମ୍ପୁଆ ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଏସଆଇ ରେବତୀ ବୁଡା ଶିଶୁଟିକୁ କେନ୍ଦୁଝର ଶିଶୁ ମଙ୍ଗଳଗୃହକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ।
