ଚମ୍ପୁଆରେ ଶିକ୍ଷକଙ୍କ ମନମାନୀ , ବିଦ୍ୟାଳୟ ପାଲଟିଛି ‘ଧର୍ମଶାଳା’

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଶିକ୍ଷାମଣ୍ଡଳ ଅଧୀନରେ ଥିବା ଅନେକ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମନମାନୀ ଚରମ ସୀମାରେ ପହଞ୍ଚିଛି। ବିଦ୍ୟାଳୟର ନିୟମିତ ସମୟ ସାରଣୀକୁ ବେଖାତିର କରି ଶିକ୍ଷକମାନେ ନିଜ ଇଚ୍ଛାରେ ଆସିବା ଓ ଯିବା କରୁଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଦ୍ୟାଳୟ ହେଉଛି ଜାତି ଗଢ଼ିବାର ମନ୍ଦିର, ହେଲେ ଚମ୍ପୁଆରେ ଏହା ଏବେ ଏକ ‘ଧର୍ମଶାଳା’ରେ ପରିଣତ ହୋଇଛି।ସ୍ଥାନୀୟ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଶିକ୍ଷକମାନେ କେତେବେଳେ ସ୍କୁଲ ଆସିବେ ଓ କେତେବେଳେ ଯିବେ, ତାହାର କୌଣସି ଠିକଣା ନାହିଁ। ଏପରିକି ଅନେକ ଶିକ୍ଷକ ସରକାରୀ ନିୟମକୁ ଅଙ୍ଗୁଷ୍ଠ ପ୍ରଦର୍ଶନ କରି ନିଜ ସୁବିଧା ଅନୁସାରେ ସ୍କୁଲ ପରିଚାଳନା କରୁଛନ୍ତି। ଏହି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ଅଭିଭାବକ ମହଲରେ ଦାବି ଜୋର ଧରିଛି। ଚମ୍ପୁଆ ଶିକ୍ଷା ଅଧିକାରୀ ତୁରନ୍ତ ପ୍ରତ୍ୟେକ ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ସମୟ ସାରଣୀ ସମ୍ବଳିତ ନୋଟିସ୍ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦିଅନ୍ତୁ। ସ୍କୁଲ ସମୟରେ ଅନୁପସ୍ଥିତ କିମ୍ବା ମନଇଚ୍ଛା ଆସୁଥିବା ଶିକ୍ଷକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଚମ୍ପୁଆ ଉପଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି।ଶିକ୍ଷା ଭଳି ଏକ ପବିତ୍ର ବିଭାଗରେ ଏଭଳି ଅରାଜକତା ଯଦି ବନ୍ଦ ନ ହୁଏ, ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ପ୍ରଶାସନ କେବେ ଏ ଦିଗରେ ଦୃଷ୍ଟି ଦେବ, ତାହାହିଁ ଏବେ ବଡ଼ ପ୍ରଶ୍ନ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat