କେନ୍ଦୁଝର/ଚମ୍ପୁଆ : (ପ୍ରଦୀପ ମହାନ୍ତ)ଚମ୍ପୁଆରେ ଶ୍ରୀବଳଦେବ ଜୀଉଙ୍କ ଘୋଷଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭୋର ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁସାରେ ପଳସା ମାମୁଁ ଘରୁ ଭାର ଆସିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ଭାର ଆସିଲାପରେ ଜଗନ୍ନାଥଙ୍କ ନିକଟରେ ଭୋଗଲାଗି କରାଯାଇଥିଲା । ଏତଦବ୍ୟତୀତ ସେହି ଭୋଗ ସର୍ବସାଧାରଣଙ୍କ ନିମନ୍ତେ ବଣ୍ଟନ କରାଯାଇଥିଲା । ପ୍ରାୟ ଦିନ ୩ଘଟିକା ସମୟରେ ଗୋଟି ପହଣ୍ଡି କରାଯାଇଥିଲା । ପହଣ୍ଡି ବିଜେ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୁଢ଼ କରାଯାଇଥିଲା । ଶ୍ରୀଜୀଉମାନେ ରଥାରୁଢ଼ ହେବାପରେ ଚମ୍ପୁଆ ଉପଜିଲ୍ଲପାଳ ଉମାକାନ୍ତ ପରିଡ଼ା ଛେରାପହଁରା କରିଥିଲେ । ଏହାପରେ ଭାବାବେଗ ପରିବେଶ ମଧ୍ୟରେ ଭକ୍ତମାନେ ହରିବୋଲ ପକାଇ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିଥିଲେ । ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ଦେଖିବାକୁ ମିଳିଥିଲା ।
ସେହିପରି ଚମ୍ପୁଆ ବ୍ଲକର ରିମୁଳି, ସିଲିପୁଞ୍ଜି, ନିଉଣ୍ଡି, କାଟୁଳିକନା ଆଦି ସ୍ଥାନମାନଙ୍କରେ ମଧ୍ୟ ଭକ୍ତିମୟ ପରିବେଶରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥାରୁଢ଼ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଘୋଷଯାତ୍ରାରେ ସାମିଲ ହୋଇଥିଲେ । ରଥ ଦଉଡି଼ ଧରି ହରିବୋଲ ପକାଇ ଭକ୍ତମାନେ ରଥକୁ ଟାଣି ନେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଏସଡିପିଓ ରଶ୍ମିରଞ୍ଜନ ସାହୁ, ଚମ୍ପୁଆ ଏସଡିଏମଓ ଡଃ ବିଜୟ କେତନ ଦାସ, ଚମ୍ପୁଆ ଥାନା ଆଇଆଇସି ସ୍ୱରୂପ ରଞ୍ଜନ ନାୟକ, ଚମ୍ପୁଆ ତହସିଲଦାର ସତ୍ୟବ୍ରତ ସାହୁ, ଅତିରିକ୍ତ ତହସିଲଦାର ପ୍ରତୀକ୍ଷା ପ୍ରିୟଦର୍ଶିନୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା ଆଦି ଚମ୍ପୁଆ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ନିମନ୍ତେ ପାନୀୟ ଜଳ, ଭୋଗ ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା ତଥା ଶାନ୍ତି ଶୃଙ୍ଖଳା ନିମନ୍ତେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି), ପୁଲିସ ବାହିନୀ, ସ୍ୱେଛାସେବୀ, ବ୍ରହ୍ମକୁମାରୀ ଭାଇଭଉଣୀମାନେ ସେବାରେ ନିୟୋଜିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ୯ଦିନ ଧରି ଜାରି ରହିବ ବୋଲି ସୂଚନା ମିଳିଛି । ତେବେ ରଥର ଯାନ୍ତ୍ରିକ ତୃଟି ନିମନ୍ତେ ରଥ ବଳଗଣ୍ଡି ପୂର୍ବରୁ ଅଟକି ରହିଥିବା ସୂଚନା ମିଳିଛି ।
