ତାଳଚେର(ଅଜିତ କୁମାର ଭୋଇ): ଆଶାଢ଼ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କର ଆଜି ଗୁଣ୍ଡିଚାମନ୍ଦିରରେ ରୀତିନୀତି ଅନୁସାରେ ହେରାପଂଚମୀ ଅନୁଷ୍ଠିତ ହୋଇଯାଇଛି । ପୂରାଣ ଅନୁସାରେ ଆଜି ମା’ଲକ୍ଷୀ ରାଗଋଷା ଅଭିମାନ କରି ରାଗ ତମତମରେ ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡରେ ପଂହଚି ଯାଇଛନ୍ତି । କାହିଁକି ନା ମହାବାହୁ ୬ଦିନ କହି ନଅଦିନ ଜନ୍ମବେଦୀରେ ରହିବା କଥା ତାଙ୍କ ଦେହରେ ନଯାଇ ଆଜି ରଥ ଭାଙ୍ଗିବା ସହ ରଥର ମୁହଁ ଉତରଦିଗାଣ କରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ଗୁଣ୍ଡିଚା ମନ୍ଦିରରେ ମା’ଲକ୍ଷୀଙ୍କ ଆଗମନକୁ ଦେଖି ତୁରନ୍ତ ପ୍ରଭୂଙ୍କୁ ଖବର ଦେବା ସହିତ ଭିତରକୁ ଆମନ୍ତ୍ରଣ କରିଥିଲେ, କିନ୍ତୁ ମା’ଙ୍କ ରାଗ ଓ ଅଭିମାନରେ ସବୁ ନିମନ୍ତ୍ରଣ ଫିକା ପଡ଼ି ଯାଇଛି ।
ମା’ ଗୁଣ୍ଡିଚା ମନ୍ଦିର ପରିସରରେ ରହି ଜଗତରନାଥ ଜଗନ୍ନାଥଙ୍କୁ ବିଭିନ୍ନ କଥା ଶୁଣାଇବା ସହିତ ତୁରନ୍ତ ବଡ଼ଦେଉଳକୁ ଫେରିଯିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହି ପୌରାଣିକ ଗାଥା ଗୁଣ୍ଡିଚାମନ୍ଦିରରେ ଝାଞ୍ଜ, ମୃଦଙ୍ଗ, କୀର୍ତନ ସହିତ ହରିବୋଲ, ହୂଳହୂଳି ଶଦ୍ଦରେ ପରିବେଶଟି ଗୁଞ୍ଜରିତ ହୋଇ ଉଠିଥିଲା । ତାଳଚେର ଟାଉନ ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ତିନି ଦିଅଙ୍କ ସନ୍ଧ୍ୟା ଆଳତୀ ହେବା ସହିତ ହେରାପଂଚମୀ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ମଧ୍ୟ ହୋଇଥିଲା । ଏହି ଅବସରରେ ରଥଯାତ୍ରା ଭଜନସନ୍ଧ୍ୟା କମିଟି ପକ୍ଷରୁ ଉଚ୍ଚକୋଟ୍ଟୀର ଗାୟକ, ଗାୟୀକା ମାନଙ୍କୁ ଆଣି ଜଗନ୍ନାଥଙ୍କ ଭଜନ ଆଧାରିତ ସଙ୍ଗୀତ ପରିବେଶ ହେଉଛି । ଶ୍ରଦ୍ଧାଳୁ ଓ ଭକ୍ତମାନେ ଚତୁର୍ଦ୍ଧାମୂରତୀ ଦର୍ଶନ କରିବା ସହିତ ଭଜନ ସନ୍ଧ୍ୟା ଉପଭୋଗ କରୁଛନ୍ତି । ଅନୁଷ୍ଠାନ ପକ୍ଷରୁ ଭକ୍ତଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି
