କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ): ଚମ୍ପୁଆ ସବଡିଭିଜନ ଡାକ୍ତରଖାନାରେ ରୋଗୀସେବା କ୍ଷେତ୍ରରେ ବ୍ୟାପକ ଅନିୟମିତତା ଏବଂ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ହସ୍ପିଟାଲର କିଛି ଏନ୍.ଏ.ଏମ. ଦିଦି, ସୁରକ୍ଷା କର୍ମୀ ଏବଂ ସଫେଇ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ରୋଗୀ ଓ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଡାକ୍ତରଖାନାରେ କାର୍ଯ୍ୟରତ ଏନ୍.ଏ.ଏମ୍. ଦିଦିମାନେ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ରୋଗୀଙ୍କୁ ସାଲାଏନ୍ ଦିଆଯିବା ପରେ ତାହା ସରିଗଲେ ମଧ୍ୟ ଖୋଲିବା ପାଇଁ କହିଲେ ସେମାନେ ଶୁଣୁନାହାନ୍ତି। ଏପରିକି ଏନ୍.ଏ.ଏମ୍. ମାନଙ୍କ ପ୍ରକୃତ କର୍ତ୍ତବ୍ୟ ଆଟେଣ୍ଡାଣ୍ଟ କରୁଥିବା ନେଇ ରୋଗୀଙ୍କଠାରୁ ଅଭିଯୋଗ ଶୁଣିବାକୁ ମିଳୁଛି।
ଦିଦିମାନେ କେବଳ ଚୌକିରେ ବସି ମୋବାଇଲ ଧରି ସମୟ କଟାଉଥିବା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଡାକ୍ତରଖାନାରେ ନିୟୋଜିତ ସୁରକ୍ଷା କର୍ମୀମାନେ ମଧ୍ୟ ନିଜ ନିର୍ଦ୍ଧାରିତ ଡ୍ୟୁଟି ସ୍ଥାନରେ ନ ରହି ଏଣେତେଣେ ବୁଲୁଥିବା ଦେଖାଯାଉଛି। ସଫେଇ କର୍ମଚାରୀ ମାନଙ୍କ ଅବସ୍ଥା ମଧ୍ୟ ସମାନ। ନିୟମିତ ସଫାସୁତରା ରଖିବା ପରିବର୍ତ୍ତେ କେବଳ ସକାଳ ଓ ସନ୍ଧ୍ୟାରେ ଥରେ ଝାଡ଼ୁ ମାରି ଦାୟିତ୍ୱ ଏଡ଼ାଇ ଦେଉଛନ୍ତି।ରୋଗୀଙ୍କ ପଥ୍ୟ ବା ଖାଦ୍ୟ ବ୍ୟବସ୍ଥା ରେ ବଡ଼ଧରଣର ତ୍ରୁଟି ଦେଖିବାକୁ ମିଳିଛି। ଡାକ୍ତରଖାନାରେ ମଧୁମେୟ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ରହିଥିଲେ ମଧ୍ୟ ସମସ୍ତଙ୍କୁ ସମାନ ପ୍ରକାର ଖାଦ୍ୟ ଦିଆଯାଉଛି।
ଏ ବିଷୟରେ ରୋଷେଇ କରୁଥିବା ସଂସ୍ଥାକୁ ପଚାରିବାରୁ ସେମାନେ ସ୍ପଷ୍ଟ କରିଛନ୍ତି ଯେ, ଏନ୍.ଏ.ଏମ୍. ଦିଦିମାନେ କେବଳ ମୋଟ ରୋଗୀଙ୍କ ସଂଖ୍ୟା ରିପୋର୍ଟ ଦେଉଛନ୍ତି, କିନ୍ତୁ କେଉଁ ରୋଗୀଙ୍କର କ’ଣ ସମସ୍ୟା ଅଛି ସେ ନେଇ କୌଣସି ସ୍ୱତନ୍ତ୍ର ରିପୋର୍ଟ ଦେଉ ନଥିବାରୁ ସମସ୍ତଙ୍କୁ ଗୋଟିଏ ପ୍ରକାର ଖାଦ୍ୟ ଦିଆଯାଉଛି ରୋଗୀ ଙ୍କ ଜୀବନ ସହିତ ଏପରି ଖେଳ ଏବଂ ସରକାରୀ ନିୟମର ଅବମାନନାକୁ ସାଧାରଣରେ କଡ଼ା ନିନ୍ଦା କରାଯାଇଛି। ତେଣୁ ଏହି ବିଷୟ ପ୍ରତି ଚମ୍ପୁଆ ଏସ୍.ଡି.ଏମ୍.ଓ. ଏବଂ କେନ୍ଦୁଝର ସି.ଡି.ଏମ୍.ଓ. ଦୃଷ୍ଟି ଦେଇ ୮ ଘଣ୍ଟା ଡ୍ୟୁଟି ସମୟରେ କର୍ତ୍ତବ୍ୟରେ ଅବହେଳା କରୁଥିବା ଏହି ତିନୋଟି ଶ୍ରେଣୀର କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ କରନ୍ତୁ। ଏଥିସହ ରୋଗୀଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଦୋଷୀମାନଙ୍କ ବିରୁଦ୍ଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି।
